ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମତ୍ୟୁ ଘଟିଥିବା ବେଳେ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ବି. କୃଷ୍ଣମୂର୍ତ୍ତି ରେଡ୍ଡୀଙ୍କ ବଡ଼ପୁଅ ବି . ଗଣେଶ ରେଡ୍ଡୀ (୨୬) ଏବଂ ଆହତ ମାନେ ହେଲେ ଆଦିକନ୍ଦପୁର ଗ୍ରାମର ଚେରୁ ରେଡ୍ଡୀ(୨୫) , ଭୂଷୁଣ୍ଡା ଗ୍ରାମର ରାଜା ପ୍ରଧାନ(୨୪) ଓ ସାନଖେମୁଣ୍ଡି ବ୍ଳକ ରାମଚନ୍ଦ୍ରପୁର ଗ୍ରାମର ଆଦର୍ଶ ଦଳାଇ(୨୭) । ଗଣେଶ ଓ ଚେରୁ ଉଭୟ ମିଶି ବୁଲେଟ ନଂ. ( ଓଡି୦୯ଡି- ୩୫୩୭) ଯୋଗେ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦିଗପହଣ୍ଡିରୁ ଭୂଷୁଣ୍ଡା ଗ୍ରାମକୁ ଯାଉଥିବା ସ୍କୁଟି ନଂ. ( ଓଡି ୦୭ଏଏସ – ୬୪୧୮) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା
ସମସ୍ତେ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଗଣେଶ ଯୁବ ବିଜେଡିର ଜଣେ ସୁସଙ୍ଗଠକ ହୋଇଥିବାରୁ ଖବରପାଇ ତାଙ୍କ ବହୁ ସଂଖ୍ୟକ ସାଙ୍ଗସାଥି ମୁହୂର୍ତ୍ତକ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସମସ୍ତ ଆହାତଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା ।
ଉପସ୍ଥିତ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ରାଜା ଓ ଆଦର୍ଶଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଚେରୁଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ  ସେ ଘରକୁ ଫେରିଛନ୍ତି । ଖବରପାଇ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଦୁଇଟି ଗାଡିକୁ ଜବତ କରି ଥାନାକୁ ନେଇଛନ୍ତି। ସେହିପରି ସୱାସ୍ଥ୍ୟକେନ୍ଦ୍ରରୁ ଗଣେଶଙ୍କ ମୃତଦେହକୁ ପୋଲିସ ଜବତ କରି ଥାନା ମାମଲା ନଂ. ୭୦/୨୬ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ।
ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗଣେଶଙ୍କ ବହୁ ସଂଖ୍ୟକ ସାଙ୍ଗସାଥୀ ଓ ସହପାଠୀ ତାଙ୍କ ପୈତୃକ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡିଛି। ଗଣେଶଙ୍କ ମୃତ୍ୟୁରେ ଦିଗପହଣ୍ଡି ବ୍ଲକ ତଥା ସିଦ୍ଧେଶ୍ୱର ପଞ୍ଚାୟତ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Share