ଭଞ୍ଜନଗର/ଦିଗପହଣ୍ଡି/ପାଟପୁର,୧୭ା୯(ବାବୁଲା ପ୍ରଧାନ/ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):
ଗଞ୍ଜାମ ଜିଲାରେ ଚାଷୀ ସାର ପାଇଁ ହଟହଟା ହେଉଛନ୍ତି। ଚଳିତବର୍ଷ ଧାନ ଗଛ ଭଲ ହୋଇଛି। ଗଛରେ ପୁଡ଼ା ଧରିଲାଣି। ଏହି ସମୟରେ ଆବଶ୍ୟକ ହେଉଥିବା ୟୁରିଆ ସାର ଚାଷୀ ଦେଇ ପାରୁନାହିଁ। ବୁଧବାର ଭଞ୍ଜନଗର ବ୍ଲକର ବିଭିନ୍ନ ସୋସାଇଟିରେ ବିକ୍ରି କରିବା ପାଇଁ ସରକାର ଗୋଟିଏ ଲେଖାଏ ଟ୍ରକ ସାର ଯୋଗାଇ ଦେଇଥିଲେ। ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଦେବାରୁ ଚାଷୀ ସାର ପାଇ ପାରିନାହାନ୍ତି। ଢୋଲପିଟା ସୋସାଇଟିରେ ଗଣ୍ଡଗୋଳ ଯୋଗୁଁ ସାର ବିକ୍ରି ବନ୍ଦ ହୋଇଯାଇଥିଲା। ଯାହାକୁ ନେଇ ଉତ୍ତେଜନା ବଢିଥିଲା। ଗାଲେରି ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ୨ ଦିନ ପରେ ଉକ୍ତ ସୋସାଇଟିର ଚାଷୀଙ୍କୁ ସାର ବିକ୍ରି କରାଯିବ। ସେହିଭଳି ବଡକୋଦଣ୍ଡା ସମେତ ଅନ୍ୟାନ୍ୟ ସୋସାଇଟିରେ ମଧ୍ୟ ବିଶୃଙ୍ଖଳା ଦେଖା ଦେଇଥିଲା। ମୁଜାଗଡ ସୋସାଇଟିରେ ଅନେକ ଚାଷୀ ଆଗୁଆ ଆସି ମଧ୍ୟ ସାର ପାଇନପାରି ନିରାଶରେ ଫେରିଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ସେହିପରି ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ବୁଧବାର ଭୋରରୁ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ଖଲିଙ୍ଗି ଏବଂ ଏରେନଡ୍ରା ଗ୍ରାମର ଚାଷୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ପ୍ରବଳ ତାତି ଯୋଗୁଁ ସାର ପାଇଁ ଧାଡ଼ିରେ ଠିଆ ହୋଇଥିବା ୩ ମହିଳା ଚାଷୀ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେମାନେ ହେଲେ ଖଲିଙ୍ଗି ଗ୍ରାମର ସୁମତି ପ୍ରଧାନ, ରଙ୍ଗବତୀ ବରାଡ଼, ସଞ୍ଜୁ ନାହାକ। ଉପସ୍ଥିତ ଲୋକେ ସେମାନଙ୍କୁ ପାଣି ପିଇବାକୁ ଦେଇ ସୁସ୍ଥ ହେବାରୁ ଘରେ ଛାଡିଥିଲେ। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମବାୟ ସମିତି ଏବଂ ଘରୋଇ ଡିଲର ମାନଙ୍କୁ ୟୁରିଆ, ଗ୍ରୋମର ଓ ପଟାସ ସାର ଯୋଗାଇ ଦିଆନଯିବା କାରଣରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଅଧିକା ଜମି ଥିବା ଚାଷୀଙ୍କୁ ଗୋଟିଏ ସାର ବସ୍ତା ଏବଂ କମ୍ ଜମି ଥିଲେ ମଧ୍ୟ ଗୋଟିଏ ସାର ବସ୍ତା ଦିଆଯାଉଛି। ଏଭଳି ତୃଟିପୂର୍ଣ୍ଣ ସାର ବଣ୍ଟନ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।