ଦିଗପହଣ୍ଡି/ପାଟପୁର, ୨୫।୧୦ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ଅଳ୍ପ କିଛି ସରକାରୀ ଜମିକୁ ବତାଗଡ଼ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘବର୍ଷ ଧରି ଦଖଲ କରିବା ସହ ଚାଷ କରି ଫସଲ ଅମଳ କରି ଆସୁଛନ୍ତି। ନିୟମିତ ଭାବେ ରାଜସ୍ବ ଖଜଣା ପାଉତି ଦାଖଲ କରି ଉକ୍ତ ଜମିରେ ଧାନ, ମୁଗ, ବିରି, କାନ୍ଦୁଲ ଓ ପନିପରିବା ପ୍ରଭୃତି ସେମାନେ ଚାଷ କରି ଆସୁଥିବା ବେଳେ ଉକ୍ତ ସରକାରୀ ଚାଷ ଜମିକୁ ନେଇ ଗତ କିଛି ବର୍ଷ ଧରି ସାମନ୍ତରାପୁର ଏବଂ ବତାଗଡ, ପୋଡାମାରି ଗ୍ରାମର ଲୋକଙ୍କ ମଧ୍ୟରେ ବିବାଦ ଲାଗିରହିଛି। ପ୍ରତିବର୍ଷ ଫସଲ ଅମଳ ବେଳକୁ ସାମନ୍ତରାପୁର ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉକ୍ତ ଚାଷ ଜମିରେ ଗୋରୁ ,ଛେଳି, ମେଣ୍ଢା ପଲ ପୁରାଇ ଫସଲ ନଷ୍ଟ କରୁଛନ୍ତି। ଶନିବାର ସକାଳେ ସାମନ୍ତରାପୁର ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉକ୍ତ ଚାଷଜମିରେ ଗୋରୁପଲ ପୁରାଇ ଫସଲ ଖୁଆଇ ଦେଇଥିଲେ। ଖବରପାଇ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବତାଗଡ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ପାଟପୁର ଥାନା ଏସ୍ଆଇ ଶ୍ରୀନିବାସ ଦାସ,ରମାକାନ୍ତ ଶବର,ସନ୍ତୋଷ କୁମାର ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା। ଉଭୟପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ଜେନା,ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା,ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ ୧ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଉଭୟ ଗାଁ ରେ ଚାପା ଉତ୍ତେଜନା ଲାଗିରହିଛି।
ପୂର୍ବରୁ ଅନେକ ଥର ସାନଖେମୁଣ୍ଡି ତହସିଲ ପ୍ରଶାସନ ଓ ପୋଲିସ ଟିମ ପହଞ୍ଚି ଏହି ମାମଲାର ସ୍ଥାୟୀ ସମାଧାନ କରିବା ପାଇଁ ଚେଷ୍ଟା କରି ବିଫଳ ହେବାପରେ ବିବାଦୀୟ ଜମିରେ ଗତ ୨୦୨୧ ମସିହାରେ ୧୪୪ ଧାରା ଜାରି କରିଥିଲେ। କିନ୍ତୁ ଅଦ୍ୟାବଧି ଏହି ବିବାଦର ସ୍ଥାୟୀ ସମାଧାନ ହୋଇ ପାରିନି। ଗତ ବର୍ଷ ମଧ୍ୟ ଉକ୍ତ ଜମି ଦଖଲ ବିବାଦ ଯୋଗୁ ଉଭୟ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ। ପରେ ଉଭୟ ପକ୍ଷ ପାଟପୁର ଥାନାରେ ପହଞ୍ଚି ଉକ୍ତ ସରକାରୀ ଜମିରେ କୌଣସି ପକ୍ଷ ଚାଷ କରିବେ ନାହିଁ କିମ୍ବା ଉକ୍ତ ଜମିକୁ ଆଦୌ ଯିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ। ଏନେଇ ସ୍ଥାନୀୟ ରାଜସ୍ବ ନୀରିକ୍ଷକଙ୍କୁ ଅବଗତ କରାଯାଇଥିଲା। ସେ କୌଣସି ଠୋସ ପଦକ୍ଷେପ ନନେବା କାରଣରୁ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶନିବାର ଉକ୍ତ ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଉପୁଜିବା ସହ ଚାଷ ଜମିରେ ଗୋରୁପଲ ଛାଡି ଧାନ ସହ ଅନ୍ୟାନ୍ୟ ଫଳନ୍ତି ଫସଲ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସରକାରୀ ଜମିର ଅଳ୍ପ କିଛି ଅଂଶରେ ବତାଗଡ ଓ ପୋଡ଼ାମାରି ଗ୍ରାମର କିଛି ପରିବାର ପୁରୁଷାନୁକ୍ରମେ ଚାଷ କରି ଆସୁଛନ୍ତି। ତେବେ ସେମାନେ ଉକ୍ତ ଜମିରେ ଚାଷ କରିପାରିବେ ନାହିଁ ବୋଲି ସାମନ୍ତରାପୁର ଗ୍ରାମର ଲୋକେ ଯୁକ୍ତି କରୁଛନ୍ତି। ଅନ୍ୟ ପକ୍ଷରେ ସାମନ୍ତରାପୁର ଗ୍ରାମର ଲୋକେ ଶତାଧିକ ହେକ୍ଟର ସରକାରୀ ଜମିରେ ଚାଷ କରୁଥିବା ବତାଗଡ ଓ ପୋଡ଼ାମାରି ଗ୍ରାମର କିଛି ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏହି ସରକାରୀ ଜମି ଦଖଲ ମାମଲାକୁ ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ହାଇକୋର୍ଟ ରେ ମାମଲା ବିଚାରାଧୀନ ରହିଥିବା ଜଣାପଡ଼ିଛି।ତେବେ ଏହି ବିବାଦୀୟ ଜମିରେ ବିଏନ୍ଏସ୍ଏସ୍ର ୧୬୩ ଧାରା ଲାଗୁ କରାଯିବା ନିମନ୍ତେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଏବଂ ପାଟପୁର ପୋଲିସ ପକ୍ଷରୁ ଭଞ୍ଜନଗର ଉପଜିଲାପାଳଙ୍କୁ ଶନିବାର ସନ୍ଧ୍ୟାରେ ଲିଖିତ ଭାବେ ଆବେଦନ କରାଯାଇଛି। ରବିବାର ଉକ୍ତ ବିବାଦୀୟ ଜମିରେ ୧୬୩ ଧାରା ଜାରି କରାଯିବ ବୋଲି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ଉକ୍ତ ବିବାଦୀୟ ଜମିରେ ପାଟପୁର ଥାନା ପକ୍ଷରୁ ୧ ସେକ୍ସନ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିବା ଭାରପ୍ରାପ୍ତ ଆଇଆଇସି ତଥା ଏସ୍ଆଇ ଶୁଭଲକ୍ଷ୍ମୀ କହଁର କହିଛନ୍ତି।