ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ, ଗତ ସପ୍ତାହ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୪ଥର ରେକର୍ଡ ହୋଇଛି। ୨୩ ତାରିଖରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୧.୬ ଡିଗ୍ରୀ ରହିଥିବାବେଳେ ୨୪ ତାରିଖରେ ୩୧.୬ ଡିଗ୍ରୀ, ୨୬ ତାରିଖରେ ୩୧.୮ ଡିଗ୍ରୀ ଓ ୨୭ ତାରିଖରେ ୩୨.୪ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ଜାନୁଆରୀ ୨୩ରେ ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୩.୭ ଡିଗ୍ରୀ ଥିବାବେଳେ ସପ୍ତାହକ ଭିତରେ ୩.୧ ଡିଗ୍ରୀ ବୃଦ୍ଧି ପାଇ ୨୯ ତାରିଖ ଗୁରୁବାର ୧୬.୮ ଡିଗ୍ରୀ ଛୁଇଁଛି। ସେହିପରି ଜାନୁଆରୀ ୨୩ରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ ରହିଥିବାବେଳେ ଗୁରୁବାର ୧୩.୪ ଡିଗ୍ରୀ, କଟକରେ ୧୨.୪ ଡିଗ୍ରୀରୁ ବୃଦ୍ଧି ପାଇ ୧୫.୬ ଡିଗ୍ରୀ, ଅନୁଗୋଳରେ ୧୦ ଡିଗ୍ରୀରୁ ବୃଦ୍ଧି ପାଇ ଗୁରୁବାର ୧୪ ଡିଗ୍ରୀରେ ପହଞ୍ଚିଛି ।
ରାଜ୍ୟର ଦୁଇ ତିନୋଟି ଅଞ୍ଚଳକୁ ବାଦ୍‌ ଦେଲେ ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ଓ ସେମିଳିଗୁଡାରେ ୯.୬ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ, ଦାରିଙ୍ଗିବାଡିରେ ୧୧ ଡିଗ୍ରୀ, ନବରଙ୍ଗପୁରରେ ୧୨.୫ ଡିଗ୍ରୀ, ନୂଆପଡାରେ ୧୩ ଡିଗ୍ରୀ, ମାଲକାନଗିରିରେ ୧୩.୨ ଡିଗ୍ରୀ, ବଲାଙ୍ଗୀରରେ ୧୩.୨ ଡିଗ୍ରୀ, ଝାରସୁଗୁଡାରେ ୧୩.୪ ଡିଗ୍ରୀ, ଜଗତ୍‌ସିଂହପୁରରେ ୧୩.୮ ଡିଗ୍ରୀ, କେନ୍ଦ୍ରାପଡାରେ ୧୩.୮ ଡିଗ୍ରୀ, ଭବାନୀପାଟଣାରେ ୧୩.୯ ଡିଗ୍ରୀ, ରାଉରକେଲାରେ ୧୩.୯ ଡିଗ୍ରୀ ଓ ଯାଜପୁରରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଆଗାମୀ ୭ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ସୂଚନା ଦିଆଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେଇଥିବାବେଳେ ଫେବୃଆରୀ ୩ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେବେ ଶୁକ୍ରବାର ପୁରୀ, ଖୋର୍ଦ୍ଧା, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଟକ, ନୟାଗଡ଼ ଓ ଗଞ୍ଜାମ ଜିଲା, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ଼, ଗଞ୍ଜାମ ଏବଂ ପୁରୀ ଜିଲାକୁ କୁହୁଡି ନେଇ ସତର୍କ କରାଯାଇଛି।

 

Dharitri – Odisha’s No.1 Odia Daily