୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଓ ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରହିଥିବାବେଳେ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ, ଭୁବନେଶ୍ୱରରେ ୩୫.୪ ଡିଗ୍ରୀ, ଝାରସୁଗୁଡାରେ ୩୫.୪ ଡିଗ୍ରୀ ଏବଂ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୨/୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେବଳ ଗୋଟିଏ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ଥିବାବେଳେ ସେମିଳିଗୁଡାରେ ୧୧.୮ ଡିଗ୍ରୀ, ସମତଳ ଅଞ୍ଚଳ ଭାବେ ଫୁଲବାଣୀ ୧୩.୫ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡଘଡି ବିଜୁଳି ଏବଂ ବର୍ଷା ସମୟରେ ୩୦ରୁ ୪୦ କି.ମି. ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଏହି ସମସ୍ତ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୪ ତାରିଖ ମଙ୍ଗଳବାର ମୟୂରଭଞ୍ଜ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily