ଭୁବନେଶ୍ୱର,୧୦।୧୧: କିଛି ଦିନ ହେଲା ରାଜ୍ୟରେ ପାରଦ ତଳ ମୁହାଁ ରହିଛି। ଏପରିକି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପାରଦ ତଳକୁ ଖସି ଶୀତ ବଢିବାରେ ଲାଗିଛି। ଗତ ୪ ଦିନ ମଧ୍ୟରେ ରାଜଧାନୀର ତାପମାତ୍ରା ୪.୬ ଡିଗ୍ରୀ ତଳକୁ ଖସ ଆସିଛି। ଭୋରରେ ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି।
ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା । କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରଣୀ ଜିଲାରେ ଶୀତ ଅନୁଭୂତ ହେବାରେ ଲାଗିଲାଣି। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ କିଛି ଜିଲାରେ ଦିନ ଓ ରାତିରେ ତାପମାତ୍ରା ୨ରୁ ୩ଡିଗ୍ରୀ କମି ଯାଇଥିବା ଜଣାପଡିଛି।
ଦାରିଙ୍ଗବାଡି, ଫୁଲବାଣୀ,ଝାରସୁଗୁ ଆଦି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଖସିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଅନ୍ୟପକ୍ଷେ ଚଳିତ ବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

