ଝାରସୁଗୁଡ଼ାରେ ୭୨ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା: ଆସନ୍ତା ୫ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୭ା୧(ବନ୍ଦନା ସେଠୀ): ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍‌ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି। ଆଗାମୀ ୪ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୪ଦିନରେ ରାତି ତାପମାତ୍ରା ୧ରୁ ୨ଡିଗ୍ରୀ ହ୍ରାସ ପାଇବା ସହିତ ଅଧିକ ଥଣ୍ଡା ଅନୁଭୂତ ହେବ। ଏହାପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଆଗାମୀ ୩ଦିନ ଅର୍ଥାତ୍‌ ଶୁକ୍ରବାର ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, କଟକ, ଜଗତ୍‌ସିଂହପୁର ଏବଂ କୋରାପୁଟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅପରପକ୍ଷେ ଝାରସୁଗୁଡ଼ାରେ ତାପମାତ୍ରା ୭୨ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଏଠାରେ ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରୀ ସେଲ୍‌ସିୟସ ରହିଥିବାବେଳେ ସ୍ବାଭାବିକ ତାପମାତ୍ରାଠାରୁ ୬.୭ ଡିଗ୍ରୀ କମ୍‌ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।
ତଥ୍ୟ ଅନୁଯାୟୀ, ୧୯୮୬ ଜାନୁଆରୀ ୬ରେ ଝାରସୁଗୁଡ଼ାରେ ତାପମାତ୍ରା ୬.୧, ୨୦୨୦ ଡିସେମ୍ବର ୨୧ରେ ୫.୮, ୨୦୨୩ ଜାନୁଆରୀ ୭ରେ ୫.୬ ଏବଂ ୨୦୨୫ ଜାନୁଆରୀ ୯ରେ ୬ ଡିଗ୍ରୀ ସେଲ୍‌ସିୟସ ରହିଥିବାବେଳେ ମଙ୍ଗଳବାର ୫.୧ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବା ସହିତ ଅସହ୍ୟ ଶୀତ ଅନୁଭୂତ ହେଉଛି। ମଙ୍ଗଳବାର ଭୋରଠାରୁ ରାଜଧାନୀ ଭୁବନେଶ୍ୱରରେ ୧୦ରୁ ୧୫କି.ମି ବେଗରେ ମୁଖ୍ୟତଃ ଉତ୍ତର-ଉତ୍ତରପୂର୍ବ ଦିଗରୁ ଥଣ୍ଡା ପବନ ପ୍ରବାହ ହେତୁ ତାପମାତ୍ରା ଦୃଷ୍ଟାନ୍ତମୂଳକ ହ୍ରାସ ପାଇଥିଲା। ବିଭାଗ ପକ୍ଷରୁ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ସେଲ୍‌ସିୟସ ରହିଥିବାବେଳେ ଜି.ଉଦୟଗିରି ଓ କିରେଇରେ ୬.୮, ଦାରିଙ୍ଗବାଡ଼ିରେ ୭.୫, ସୁନ୍ଦରଗଡ଼ରେ ୭.୬, ସେମିିଳିଗୁଡ଼ାରେ ୮.୫, ବଲାଙ୍ଗୀରରେ ୮.୮, କେନ୍ଦୁଝରରେ ୯, ସୋନପୁରରେ ୯.୧ ଏବଂ ଢେଙ୍କାନାଳରେ ୯.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କଟକରେ ଚଳିତବର୍ଷ ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବ୍ୟତୀତ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।

Dharitri – The Largest & Most Trusted Odia Daily

Share
Tags: odisha