ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଥିବା ବେଳେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ସକାଳ ୮ ଟା ସୁଦ୍ଧା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଚଳିତ ସପ୍ତାହ ବୁଧବାର ଦିନ ଜି.ଉଦୟଗିରିରେ ତାପମାତ୍ରା ୬.୬ ରହିଥିଲା । ଗୁରୁବାର ଦିନ ତାପମାତ୍ରା ୧.୬ ଡିଗ୍ରୀ ତାପମାତ୍ରା ତଳକୁ ଖସି ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ପୁଣି ପାରଦ ତଳ ମୁହାଁ ହୋଇ ୪° ହୋଇଛି । ଫଳରେ ଲୋକେ ପ୍ରବଳ ଶୀତ ସାଙ୍ଗକୁ ଜାଡରେ ଅସ୍ତବ୍ୟସ୍ତ ହେଉଛନ୍ତି । ସକାଳ ୧୦ ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଲୋକେ ନିଆଁ ଜାଳି ଶୀତ ସହ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳୁଛି ।
ଶୀତର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ ଲୋକେ ଦିନ ଥାଉ ଥାଉ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି। ଏପଟେ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଆଗମନ ସହ ଅଞ୍ଚଳରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି ।ସୋସିଆଲ ମିଡ଼ିଆ ପାଇଁ ଯୁବ ପୀଢ଼ି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ସହ ଫୋଟ, ଭିଡିଓ ଉଠେଇ ରିଲ୍ସ୍ ବନଉଥିବା ସହ ଶୀତର ମଜା ନେଉଥିବା ଦେଖିବାକୁ ମିଳିଛି ।