ନୂଆପଡ଼ା,୨ା୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଆସନ୍ତା ନଭେମ୍ବର ୭ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ଘୋଷଣା କରାଯାଇଛି ଯେ, ରେଡ୍ଡୀ ନୂଆପଡ଼ା ଅନ୍ତର୍ଗତ ସାଲେଭଟାରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର କରିବେ।
କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ଘୋଷଣା କରିଥିବା ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକାରେ ରେବନ୍ତ ରେଡ୍ଡୀଙ୍କ ସମେତ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କା, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଓ ପୂର୍ବତନ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସାମିଲ ଅଛନ୍ତି।
ସେହିପରି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ୩ (ସୋମବାର) ତାରିଖରେ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କୋମନା ବ୍ଲକରେ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଜେଡି ଅତିକମରେ ୫୦ ଜଣ ବରିଷ୍ଠ ନେତାଙ୍କୁ ପ୍ରଚାର ପାଇଁ ନିୟୋଜିତ କରିଛି।
ରାଜ୍ୟର ଶାସକ ଦଳ ଭାଜପା ତାର ଅଧା ସଂଖ୍ୟକ ମନ୍ତ୍ରୀଙ୍କୁ ଅର୍ଥାତ୍ ଆଠ ଜଣ ମନ୍ତ୍ରୀଙ୍କୁ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାରରେ ଲଗାଇଛି। ପ୍ରତ୍ୟେକ ମନ୍ତ୍ରୀଙ୍କୁ ଗୋଟିଏ ଲେଖାଏଁ ଜୋନ୍ର ଦାୟିତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରଚାରର ସାମଗ୍ରିକ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିର୍ବାଚନ ପୂର୍ବରୁ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବାକୁ ଯିବାର ସମ୍ଭାବନା ଅଛି।
ନୂଆପଡ଼ାରେ ଆସନ୍ତା ନଭେମ୍ବର ୧୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେଡିର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ (ସେପ୍ଟେମ୍ବର ୮) ହେତୁ ଏହି ଆସନ ଖାଲି ପଡ଼ିଥିଲା। ଢୋଲକିଆ ୨୦୨୪ ସମେତ ଚାରି ଥର ଏହି ଆସନରୁ ଜିତିଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ସ୍ୱର୍ଗତ ଢୋଲକିଆ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରାୟ ୧୧,୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ଥିଲେ। ନୂଆପଡ଼ା ଉପନିର୍ବାଚନର ପ୍ରଚାର ଶେଷ ପର୍ଯ୍ୟାୟରେ ରାଜ୍ୟ ତଥା ଦେଶର ବଡ଼ ନେତାଙ୍କୁ ଦେଖିବାକୁ ମିଳିବ, ଯାହା ଏହି ଲଢ଼େଇକୁ ଅଧିକ ରୋଚକ କରିଛି।