ଆକ୍ସନରେ ତହସିଲଦାର: ପିଚୁ ପ୍ଲାଣ୍ଟକୁ କଲେ ସିଲ୍‌

ଭବାନୀପାଟଣା,୬।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ତହସିଲଦାର ଶୁଭସ୍ମିତା ମିଶ୍ରଙ୍କୁ ଗୁରୁବାର ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଭବାନୀପାଟଣା ତହସିଲ ଅଧୀନ ଛତିକୁଡ଼ାରେ ଗତ ଦେଢବର୍ଷ ଧରି ଚାଲିଥିବା ଏକ ପିଚୁ ପ୍ଲାଣ୍ଟ ଉପରେ ଚଢାଉ କରିଥିଲେ। ଚଢାଉ ବେଳେ ପ୍ଲାଣ୍ଟଟି ବେଆଇନ ଭାବେ ଚାଳୁଥିବା ଜଣାପଡିଥିଲା। ପରେ ତହସିଲଦାର ପ୍ଲାଣ୍ଟକୁ ସିଲ୍‌ କରିଦେଇଛନ୍ତି।

ପ୍ଲାଣ୍ଟଟି ଗ୍ରାମ୍ୟ ଜଙ୍ଗଲ ରକ୍ଷିତ ଜମି(ମୌଜା ୨୯୧, ଖାତା ନଂ ୧୯୯)ରେ ରହିଥିବା ଜଣାପଡିଛି। ବେଆଇନ କାର୍ଯ୍ୟ ଯୋଗୁ ସ୍ଥାନୀୟ ଚାଷୀଙ୍କ ଚାଷ ଜମିରେ ଫସଲ ନଷ୍ଟ ହେବା ସହ ଡ଼ଷ୍ଟ ଉଡି ଲୋକେ ଶ୍ବାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ନେଇ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତହସିଲଦାର ମିଶ୍ର ସ୍ଥାନୀୟ ଲୋକଙ୍କ ସହ ପୋଲିସ ଫୋର୍ସ ସହାୟତାରେ ପ୍ଲାଣ୍ଟରେ ଚଢାଉ କରିଥିଲେ।