ଦୁବାଇ,୧୫ା୯: ପାକିସ୍ତାନ ବିପକ୍ଷ ଏସିଆ କପ୍ ଟି୨୦ ଲିଗ୍ ମ୍ୟାଚ୍ ପରେ ପ୍ରତିପକ୍ଷ ଖେଳାଳିଙ୍କ ସହ ହ୍ୟାଣ୍ଡସେକ ନ କରିଥିବାରୁ ଟିମ୍ ଇଣ୍ଡିଆକୁ ପ୍ରବଳ ସମାଲୋଚନା କରାଯାଉଛି। ଏହାସତ୍ତ୍ୱେ ‘ନୋ ହ୍ୟାଣ୍ଡସେକ୍ ନୀତି’ ପାକିସ୍ତାନ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ରେ ମଧ୍ୟ ଜାରି ରହିବ। ଏ ସଂକ୍ରାନ୍ତରେ ସୂର୍ଯ୍ୟକୁମାର ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଆମେ ଏଠାକୁ ଆସିବା ପରେ ଏକ ନିଷ୍ପତ୍ତି ନେଇଥିଲୁ। ଆମେ ଏଠାକୁ କେବଳ ଖେଳିବାକୁ ଆସିଛୁ। ମୋ ମତରେ ଆମେ ଉଚିତ ଜବାବ ଦେଇଛୁ।
ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ସହ ମ୍ୟାଚ୍ ଖେଳିବା ବିରୋଧରେ ବିରୋଧୀ ଦଳ ପକ୍ଷରୁ ଓ ସୋସିଆଲ ମିଡିଆରେ କରାଯାଇଥିବା ପ୍ରତିବାଦରେ ବିସିସିଆଇ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଲୋକଙ୍କ ପରିବାରବର୍ଗଙ୍କ ଭାବନାଠାରୁ ଟଙ୍କାକୁ ଅଧିକ ଗୁରୁତ୍ୱ ଦେଉଥିବା ଦାବି କରାଯାଇଥିଲା। ଏଥିଯୋଗୁ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ମଧ୍ୟରେ ଆଲୋଚନା ହୋଇଥିଲା। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଦଳର ସିନିୟର ଖେଳାଳିମାନେ ମ୍ୟାଚ୍ ବେଳେ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ବୋଲି ସର୍ବସମ୍ମତିରେ ନିଷ୍ପତ୍ତି ନେଇଥିଲେ। ଏହାକୁ ବିସିସିଆଇର ସିନିୟର ଅଧିକାରୀମାନେ ସବୁଜ ସଙ୍କେତ ଦେଇଥିଲେ। ଏଣୁ ସୁପର ୪’ ପର୍ଯ୍ୟାୟ ଓ ସମ୍ଭବତଃ ଫାଇନାଲରେ ଯଦି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳାଯାଏ, ତେବେ ଭାରତୀୟ ଦଳ ନୋ ହ୍ୟାଣ୍ଡସେକ ନୀତି ଜାରି ରଖିବ।

