ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ବିଭିନ୍ନ ଶିକ୍ଷକ/ଅଧ୍ୟାପକ ଏବଂ କର୍ମଚାରୀ ସଂଘର ଦାବି ସମାଧାନ ଲାଗି ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ସୁପାରିସ କ୍ରମେ ଶିକ୍ଷକସଂଘର ଦାବି ପୂରଣ ହେବ ବୋଲି ସରକାରଙ୍କ ଲକ୍ଷ୍ୟ ରହିଛି।
ଗଣଶିକ୍ଷା ବିଭାଗ ସଚିବ ଶନିବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ (କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା) ଉକ୍ତ କମିଟିର ଅଧ୍ୟକ୍ଷ ରହିଛନ୍ତି। ସେହିପରି ସନାତନ ପଣ୍ଡା, ଓଡ଼ିଶା ଶିକ୍ଷା ସେବା (ଅବସରପ୍ରାପ୍ତ) କମିଟିର ଆବାହକ ରହିଥିବାବେଳେ ଗୃହ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ ଶାନ୍ତନୁ କୁମାର ସାହୁ ଏବଂ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ସଦସ୍ୟ ରହିଛନ୍ତି। ଉକ୍ତ କମିଟି ଶିକ୍ଷକ ସଂଘ ସହିତ ଆଲୋଚନା କରି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଉକ୍ତ ରିପୋର୍ଟ ଆଧାରରେ ଶିକ୍ଷକଙ୍କ ଦାବି ପୂରଣ କରାଯିବାକୁ ରହିଛି। ଅପରପକ୍ଷରେ ପ୍ରାଥମିକ ଶିକ୍ଷକମାନେ ତୃତୀୟ ଦିନପାଇଁ ରବିବାର ଆନ୍ଦୋଳନ ଜାରି ରଖିଥିଲେ।

 

Dharitri – Odisha’s No.1 Odia Daily

 

Share