ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ ଶିକ୍ଷକ ଜଣକ ଶିବଶକ୍ତି ନଗର ଲେନ ୨ ରେ ବାସିନ୍ଦା କୃଷ୍ଣ ଚନ୍ଦ୍ର ସେନାପତି(୫୩) ବୋଲି ଜଣାପଡିଛି ।
ଶିକ୍ଷକ ଜଣକ କୂଅରେ ପଡିଥିବା ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଗୁଣପୁର ଉପଖଣ୍ଡରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଚାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ ମୃତ ଶିକ୍ଷକ ଜଣକ ଦୀର୍ଘ ମାସ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଏଥିପାଇଁ ସେ ସର୍ବଦା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ସେ କେଉଁ ପରିସ୍ଥିତିରେ କୂଅରେ ପଡିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ । ଖବର ପାଇ ଗୁଣପୁର ପୋଲିସ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶଥାଉକି, ସେ ଗତ କିଛି ଦିନ ତଳେ ଗୁଣପୁରରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ତାଙ୍କର ବଦଳି ଗୁଣପୁର ଅଞ୍ଚଳକୁ କରିବାକୁ ନିବେଦନ କରିଥିଲେ ।