ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି। ଆଉ କେତେବେଳେ ଆଉଟସୋର୍ସିଂ ସଂସ୍ଥା ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ଛଟେଇ କରୁଛନ୍ତି। ଫଳରେ ବର୍ଷବର୍ଷ ଧରି ସେବା ଯୋଗାଇ ଆସୁଥିବା କର୍ମଚାରୀଙ୍କ ଭବିଷ୍ୟତ ହଠାତ୍‌ ଅନ୍ଧାରକୁ ଚାଲିଯାଉଛି। ଏହିଭଳି ମିଟର ରିଡର୍‌ମାନଙ୍କ ଅବସ୍ଥା ମଧ୍ୟ ହୋଇଯାଇଛି। ସଂସ୍ଥା ଯେତେବେଳେ ଚାହୁଁଛି ଛଟେଇ କରିଦେଉଛି। ଇତିମଧ୍ୟରେ ମିଟର ରିଡର୍‌ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଭଞ୍ଜନଗରର ଅରକ୍ଷିତ ପରିଛାଙ୍କୁ ଗତ ମାସରେ ସଂସ୍ଥା ଛଟେଇ କରିଥିଲା। ଯାହାକୁ ନେଇ ମିଟର ରିଡର ସଂଘର ସଦସ୍ୟମାନେ ବୁଧବାର ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ନଚେତ୍‌ ସଂଘ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି କେତେକ କର୍ମକର୍ତ୍ତା ଏଠାରେ ପ୍ରକାଶ କରିଛନ୍ତି। ଆଜିର ବିକ୍ଷୋଭ ସମୟରେ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲାର ମିଟର ରିଡର୍‌ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଅନେକ କର୍ମଚାରୀଙ୍କୁ ଏହିଭଳି ଛଟେଇ କରାଯାଇଥିବା ଯୋଗୁ ଆଜି ଦକ୍ଷିଣ ଓଡ଼ିଶାର ୮ ଟି ଜିଲାରେ ଥିବା ଟାଟା ପାଓ୍ବାର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily