ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ
ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍ କରୁ ନ ଥିବା ଦର୍ଶାଇ ଆଉଟ ସୋର୍ସିଂ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ଛଟେଇ କରିବା ପାଇଁ ନୋଟିସ୍ ଦେଇଥିଲା। ଫଳରେ ଆଜକୁ କିଛିଦିନ ହେବ ଭକ୍ତରାମ ମାନସିକ ଦୁଶ୍ଚିନ୍ତାରେ ଥିଲେ। ମଙ୍ଗଳବାର ଭକ୍ତ ରାମ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ସମୟରେ ବିଭାଗୀୟ ଗାଡ଼ିଗୁଡ଼ିକୁ ଛାଡ଼ୁ ନ ଥିବା ଦର୍ଶାଇ ପୋଲିସକୁ ଜଣେ ଅଧିକାରୀ ସୂଚନା ଦେଇଥିଲେ। ପୋଲିସ ଆସି ଭକ୍ତ ରାମଙ୍କୁ ସେଠାରୁ ଉଠାଇ ନେଇଥିଲା। ତଦନ୍ତ ପରେ ପୋଲିସ ସେଭଳି କୌଣସି ପ୍ରମାଣ ନ ପାଇବାରୁ ଭକ୍ତରାମଙ୍କୁ ଗତକାଲି ଛାଡ଼ି ଦେଇଥିଲେ।
ବୁଧବାର ଖରାବେଳେ ଭକ୍ତ ରାମ ଟାଟା ପାଓ୍ବାର ଅଧିକାରୀଙ୍କ ନିର୍ଯାତନା ସହ୍ୟ କରି ନ ପାରି କାର୍ଯ୍ୟାଳୟ ଭିତରେ ପଶି ଆତ୍ମାହୁତି ଉଦ୍ୟମ କରିଥିଲେ। ତେଣୁ ସେ ସାଥୀରେ ନେଇଥିବା କିରୋସିନି ଦେହରେ ଢାଳିବା ପରେ ନିଆଁ ଲଗାଇବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଭକ୍ତରାମଙ୍କୁ ଉଦ୍ଧାର କରି ବୁଝାଶୁଝା କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀମାନେ ଡାକି ଭକ୍ତରାମଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଅପରପକ୍ଷେ ଆଗାମୀ ଦିନରେ ଯଦି ନ୍ୟାୟ ନ ମିଳିବ ତେବେ ଆତ୍ମହତ୍ୟା କରିବି ବୋଲି ଭକ୍ତ ରାମ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଭକ୍ତ ରାମଙ୍କୁ ଯଦି କୌଣସି କର୍ମଚାରୀ ଆନ୍ଦୋଳନ କରିବାରେ ସହଯୋଗ କରିବେ ତେବେ ସେମାନକୁ ମଧ୍ୟ ଛଟେଇ କରାଯିବ ବୋଲି କମ୍ପାନୀ ମୌଖିକ ଭାବେ ଧମକ ଦେଇଥିବା ଆଲୋଚନା ହେଉଛି। ଏନେଇ ନିଯୁକ୍ତି ଦେଇଥିବା ଆଉଟ ସୋର୍ସିଂ କମ୍ପାନୀ ଅଧିକାରୀଙ୍କ ମତାମତ ନେବା ପାଇଁ ଉଦ୍ୟମ ହୋଇଥିଲା କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ।
ସୂଚନାଯୋଗ୍ୟ, ଟାଟା ପାଓ୍ବାର ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନେବା ପରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ସୁଧାର ହେବା ଆଶା କରାଯାଉଥିଲା। କିନ୍ତୁ ଭଞ୍ଜନଗର ଅଞ୍ଚଳରେ ଏବେବି ବାରମ୍ବାର ପାୱାର କଟ୍ ହେଉଛି। ଅନ୍ୟପକ୍ଷରେ ଟାଟା ପାଓ୍ବାର ପ୍ରତ୍ୟକ୍ଷ ଭାବେ କର୍ମଚାରୀଙ୍କୁ ନିଯୁକ୍ତି ପ୍ରାୟ ଦେଉନାହିଁ। ଟାଟା ପାଓ୍ବାର ଅଧିକାଂଶ କାର୍ଯ୍ୟ ପରିଚାଳନା ପାଇଁ ଆଉଟ ସୋର୍ସିଂ ସଂସ୍ଥାକୁ ଦାୟିତ୍ୱ ଦେଉଛି। ଉକ୍ତ ସଂସ୍ଥାଗୁଡ଼ିକ କର୍ମଚାରୀ ରଖୁଛନ୍ତି। ଯେତେବେଳେ ଇଚ୍ଛା ଛଟେଇ କରୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହେଉଥିବା ଜଣାପଡ଼ିଛି । ଏନେଇ ଟାଟା ପାଓ୍ବାରର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନ ଥିବା କହିଛନ୍ତି।