ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଗାଡ଼ି ନଂ(ଓଡ଼ି୦୭ ବିବି -୯୧୦୯) ଏବଂ ସ୍କୁଟି ନଂ(ଓଡ଼ି୦୭ ଏକ୍ସ -୦୩୮୫) ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାନଭାଇ ମୃତ୍ୟୁବରଣ କରିଥିବା ବେଳେ ବଡ଼ ଭାଇ ଗୁରୁତର ଆହାତ ହୋଇଛନ୍ତି। ମୃତକ ହେଲେ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ମିଟୁ ମହାରଣା। ଗୁରୁତର ଜଣକ ହେଲେ ଅରୁଣ ମହାରଣା। ନିଜ ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଉଭୟ ଦୁଇ ଭାଇ ସ୍କୁଟିରେ ଦିଗପହଣ୍ଡିରୁ ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନାନୁଯାୟୀ, ମିଟୁ ଦୁବାଇରେ କାମ କରୁଥିବା ବେଳେ ଅରୁଣ କୁକୁଡାଖଣ୍ଡି ବ୍ଳକ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମରେ ରହୁଛନ୍ତି। କିଛିଦିନ ପୂର୍ବେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ସକାଳୁ ସହଦେବ ଟିକରପଡ଼ା ଗ୍ରାମରେ ତାଙ୍କ ଶୁଦ୍ଧି କାର୍ଯ୍ୟ ଥିବାରୁ ଦୁଇଭାଇ ସ୍କୁଟିରେ ବାଳକୃଷ୍ଣପୁର ଗ୍ରାମରୁ ସହଦେବ ଟିକରପଡା ଗ୍ରାମ ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଟାଟା ଏସିଇ ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା। ଉଭୟେ ରାସ୍ତା କଡ଼କୁ ଛିଟକି ପଡ଼ିଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ମିଟୁଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଅରୁଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଦିଗପହଣ୍ଡି ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ବୁଧବାର ସକାଳୁ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯିବ ବୋଲି ପୋଲିସ କହିଛି। ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ଟାଟା ଏସିଇ ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି।

Dharitri – Odisha’s No.1 Odia Daily

Share