ଭୁବନେଶ୍ୱର,୨୪ା୯: ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଜେଡି ବିରୋଧରେ କହି ଦଳରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ। ଏହା ପରେ ସେ କେଉଁ ଦଳକୁ ଯିବେ ସେନେଇ ଚାଲିଛି ଅନେକ ଆଲୋଚନା। କିଛି କହୁଛନ୍ତି ଶ୍ରୀମୟୀ ଭାଜପା ପଟକୁ ଢଳି ପାରନ୍ତି। ଆଉ କିଛି କହୁଛନ୍ତି ଶ୍ରୀମୟୀ କଂଗ୍ରେସରେ ମିଶିବେ।
ଏହା ମଧ୍ୟରେ କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀପତି ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମୟୀଙ୍କ ପରି ନେତ୍ରୀ କଂଗ୍ରେସକୁ ଆସିବା ଭଲ। ସିଏ ଆସିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ। ତେବେ ଏ ବିଷୟରେ ନିଷ୍ପତ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ନେବେ ବୋଲି ତାରା କହିଛନ୍ତି।
ମହିଳା ବ୍ୟାପାର ସାଧାରଣ ସମ୍ପାଦିକା ଭାବେ ଶ୍ରୀମୟୀ ମିଶ୍ର ଦାୟିତ୍ୱ ତୁଲାଉଥିଲେ। ଦୀର୍ଘ ଦିନ ଧରି ଚୁପ ଥିବା ଶ୍ରୀମୟୀଙ୍କ ସୋସିଆଲ ମିଡିଆରେ ବିଜେଡି ବିରୋଧରେ ତେର୍ଚ୍ଛା ବାଣ ମାରିଥିଲେ। ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ୱା ଦଳ ନାଁ ନ ନେଇ ବି ଶ୍ରୀମୟଙ୍କ ପୋଷ୍ଟ ଯୋଗୁ ବିଜେଡି ଖପ୍ପା ହୋଇ ତାଙ୍କୁ ଦଳରୁ ବିଦା କରିଥିଲା।