ଭୁବନେଶ୍ୱର,୬ା୨: ଖଣ୍ଡଗିରି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଗୁରୁବାର ତୃତୀୟ ଦିନରେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ପୂଜାର୍ଚ୍ଚନାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏପରିକି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁସନ୍ଥମାନେ ମେଳାରେ ଯୋଗ ଦେଉଛନ୍ତି। ଅନ୍ୟପକ୍ଷେ ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଯିବ। ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବିଏମ୍ସି କମିଶନର ଚେତାବନୀ ଦେଇଛନ୍ତି। ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ସେ କହିଛନ୍ତି। ସବୁ ଯାତ୍ରା କମିଟି ଏନେଇ ଅବଗତ କରାଯାଇଛି। ଗାଇଡଲାଇନ ଅନୁସାରେ ଯାତ୍ରା ହେବ ବୋଲି ବିଏମ୍ସି କମିଶନର କହିଛନ୍ତି।
ଏଭଳିସ୍ଥିତିରେ ଆଇଟମ୍ ଗର୍ଲ ତଥା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଗୁରୁବାର ଡମ୍ବରୁ ବଜାଇ ଦୟା ନଦୀରେ ପହଞ୍ଚି ତାଣ୍ଡବ କରିଥିଲେ। ପରେ ନଦୀ ଘାଟରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଥିଲେ। ବୁଡ ପକାଇବା ବେଳେ ହରହର ମହାଦେବ ନାରା ଦେଇଥିଲେ। ଏପରକି ଖଣ୍ଡଗିରିରେ ପ୍ରବେଶ ପାଇଁ ଗୁରୁଙ୍କ ଆଶୀର୍ବାଦ ନେବାକୁ ଦୟା ନଦୀରେ ବୁଡ଼ ପକାଇବା ପାଇ ଆସିଥିବା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ସେମାନେ ଠେଙ୍ଗା ଧରିଲେ ମୁଁ ଡମ୍ବରୁ ଧରି ପେଣ୍ଡାଲରେ ବୁଲିବି ବୋଲି କହିଛନ୍ତି।
ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ। ଅଶ୍ଲୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ୱରେ ଶହେ ଠେଙ୍ଗା ପୂଜା କରାଯାଇଛି। କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବତୀଯୁବକଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ।
ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ। ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି ବିଧାୟକ ବାବୁ ସିଂ ପ୍ରକାଶ କରିଛନ୍ତି।