ରେଡ୍‌ ଜୋନ୍‌ ଉପରେ ନଜର

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତଥାପି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଆସନ୍ତା ଜୁଲାଇ ପହିଲାରେ ଆଂଶିକ ଲକ୍‌ଡାଉନ ଅବଧି ଶେଷ ହେବ। ସଂକ୍ରମଣ ହାର ୫ ପ୍ରତିଶତ ତଳେ ଥିବା ‘ଗ୍ରୀନ୍‌ ଜୋନ୍‌’ ଏବଂ ୫ ପ୍ରତିଶତ ଉପରେ ଥିବା ‘ୟେଲୋ ଜୋନ୍‌’ ଜିଲାଗୁଡ଼ିକରେ ଲକ୍‌ଡାଉନ କଟକଣାକୁ ଆହୁରି କୋହଳ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି। ତେବେ ରେଡ୍‌ ଜୋନ୍‌ରେ ଥିବା ୫ ଜିଲାଗୁଡ଼ିକରେ କଟକଣା ଅଧିକ କଡ଼ାକଡ଼ି କରାଯାଇ ପାରେ। ସ୍ବାସ୍ଥ୍ୟ ବିଭାଗର କରୋନା ରିପୋର୍ଟକୁ ଯାଞ୍ଚ କରାଯାଉଛି। ମଙ୍ଗଳବାର ଏ ନେଇ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ହେବାକୁ ଥିବା ବୈଠକରେ ରାଜ୍ୟର କୋଭିଡ୍‌ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ପରିସ୍ଥିତିକୁ ଅନୁଧ୍ୟାନ କରି ଆଉ କିଛି ମାତ୍ରାରେ ସରକାର କଟକଣାକୁ କୋହଳ କରିପାରନ୍ତି। ତେବେ ଯେଉଁ ଜିଲାଗୁଡ଼ିକରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହୁଛି ସେସବୁ ଜିଲାରେ ଆଂଶିକ କଟକଣା ବଳବତ୍ତର ରହିବ। ରାଜ୍ୟରେ ଆଉ ୧୫ ଦିନ ଯାଏ ସପ୍ତାହାନ୍ତ ଶଟ୍‌ଡାଉନ ବଢ଼ାଇବା ନେଇ ସରକାର ବିଚାର କରିପାରନ୍ତି। କୋଭିଡ୍‌ ସ୍ଥିତି ଯାଞ୍ଚ ପରେ ଯାହା କିଛି ନିଷ୍ପତ୍ତି ନିଆଯାଇ ପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟ ପକ୍ଷରେ ତୃତୀୟ ଲହର ଓ ଡେଲ୍‌ଟା ପ୍ଲସ୍‌ର ଭୟ ରହୁଥିବାରୁ ରାଜ୍ୟ ସରକାର ସତର୍କତାର ସହ ପଦକ୍ଷେପ ନେବେ ବୋଲି ଜଣାପଡିଛି।
କୋଭିଡ୍‌ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ମେ ୫ରୁ ସମଗ୍ର ରାଜ୍ୟରେ ଲଗାଇଥିବା କଟକଣାରେ ଜୁନ୍‌ ୧୭ ତାରିଖରୁ ଆଂଶିକ କୋହଳ କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‌ ରହୁଥିବାରୁ ସେହି ଜିଲାଗୁଡ଼ିକରେ ଲକ୍‌ଡାଉନକୁ ଅଧିକ କୋହଳ କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ୧୩ ଜିଲାରେ ସଂକ୍ରମଣ ହାର ଅଧିକ ରହୁଥିବାରୁ ଲକ୍‌ଡାଉନକୁ କିଛି ମାତ୍ରାରେ କୋହଳ କରାଯାଇଛି। ରାଜ୍ୟର ସମସ୍ତ ଜିଲାକୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି।ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‌ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲାକୁ କାଟାଗୋରି-ଏରେ ରଖାଯାଇଥିବା ବେଳେ ଉପକୂଳବର୍ତ୍ତୀ ୧୩ ଜିଲାକୁ ବି କାଟାଗୋରିରେ ରଖାଯାଇଛି।
କାଟାଗୋରି-‘ଏ’ ଜିଲାଗୁଡ଼ିକରେ ସକାଳ ୬ରୁ ସା ୫ଟା ଯାଏ ସମସ୍ତ ଦୋକାନ ବଜାର ଖୋଲା ରହୁଥିବା ବେଳେ କାଟାଗୋରି-‘ବି’ରେ ଥିବା ଜିଲାଗୁଡ଼ିକରେ ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଛି। ଏଥିସହିତ ଉଠା ଦୋକାନୀ, ବୁଲା ବିକାଳି, ଜଳଖିଆ ଦୋକାନୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଛି। ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ମିଠା ଦୋକାନ ଖୋଲା ରହୁଛି।
ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଓ ମାଲକାନଗିରି ଜିଲାରେ ସଂକ୍ରମଣ ହାର ୫ରୁ ୮ ପ୍ରତିଶତ ଥିବାରୁ ଏହାକୁ ‘ୟେଲୋ ଜୋନ୍‌’ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ସଂକ୍ରମଣ ହାର ୮ରୁ ୧୧ ପ୍ରତିଶତ ମଧ୍ୟରେ ରହୁଥିବାରୁ ଏସବୁ ଜିଲାକୁ ‘ରେଡ୍‌ ଜୋନ୍‌’ ତାଲିକାରେ ରହିଛି।