ଅସାଦ୍‌ଙ୍କ ପରେ ସିରିଆ

ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ଦ୍ରୁତ ପତନ ଏକ ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଏହା ଗତବର୍ଷର ମଧ୍ୟପ୍ରାଚ୍ୟ ରଣନୀତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ତୁର୍କୀର ସମର୍ଥିତ ଶକ୍ତିଗୁଡ଼ିକୁ ସାମ୍ନା କରି ଅସାଦ୍‌ ଏକ ଦଶନ୍ଧିରୁ ଅଧିକ ସମୟ କ୍ଷମତାରେ ରହିଥିଲେ। ମାତ୍ର ବିଦ୍ରୋହୀ ଗୋଷ୍ଠୀ ହାୟତ୍‌ ତାହିର ଅଲ-ଶାମ୍‌ (ଏଚ୍‌ଟିଏସ୍‌) ଆକ୍ରମଣ ଆରମ୍ଭ କରିବାର ମାତ୍ର ୧୧ ଦିନ ପରେ ଅସାଦ୍‌ ତାଙ୍କ ପରିବାରର ୫୦ ବର୍ଷର ଶାସନକୁ ଶେଷ କରି ରୁଷିଆକୁ ପଳାଇଗଲେ।

ଅନେକ ବର୍ଷର ଅପାରଗ ଶାସନ ଏବଂ ଅର୍ଥନୈତିକ ଓ ସାମାଜିକ ନିର୍ଯାତନାର ଏହା ଥିଲା ଶେଷ ପରିଣାମ। ଏପରିକି ଅସାଦ୍‌ଙ୍କ ସମର୍ଥନରେ ରହିଆସିଥିବା ଆଲ୍‌ୱି ସମ୍ପ୍ରଦାୟ ବିନା ଯୁଦ୍ଧରେ ବିରୋଧୀଙ୍କ ସହ ସାମିଲ ହୋଇଗଲେ। ବାସ୍ତବରେ ଶାସନର ଶେଷ ହେଲା, ଯେତେବେଳେ ତାଙ୍କୁ ବାହାରୁ ସମର୍ଥନ କରୁଥିବା ରୁଷିଆ ଏବଂ ଇରାନ୍‌ ତାଙ୍କୁ ଛାଡ଼ି ଚାଲିଗଲେ। ତେବେ ଅସାଦ୍‌ଙ୍କ ପତନରୁ ବ୍ୟାପକ ଆଞ୍ଚଳିକ ଲାଭ ହୋଇପାରେ। ଅସାଦ୍‌ଙ୍କ ଶାସନ ଇରାନ୍‌ରୁ ହିଜବୁଲ୍ଲାକୁ ଅସ୍ତ୍ର ଯୋଗାଣରେ ସହଯୋଗ କରୁଥିଲା। ତେବେ ଡମାସ୍‌କସ୍‌ରେ ସମ୍ଭାବ୍ୟ ନୂତନ ନେତୃତ୍ୱ ଇରାନ୍‌ର ପ୍ରଭାବକୁ ଆହୁରି ଅଧିକ ହ୍ରାସ କରିବା ସହ ଏକ ସ୍ଥିର ଆଞ୍ଚଳିକ ବ୍ୟବସ୍ଥା ଆଣିବାରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରେ। କିନ୍ତୁ ଲାଭ ଆଶାକୁ ନିୟନ୍ତ୍ରଣରେ ରଖି ସତର୍କ ରହିବା ଆବଶ୍ୟକ। ମଧ୍ୟପ୍ରାଚ୍ୟରେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଶାସନରୁ ହଟାଇବା ସାଧାରଣତଃ ହିଂସା ଓ ଘୋର ଅବ୍ୟବସ୍ଥା ସୃଷ୍ଟି କରିବା ଦେଖାଯାଇଛି। ସ୍ଥିର ଏବଂ ସମ୍ମିଳିତ ଶାସନ ଆସିପାରିନାହିଁ। ଅସାଦ୍‌ଙ୍କ ଶାସନ ସମୟରେ ସଂଖ୍ୟାଗରିଷ୍ଠ ସୁନ୍ନିଙ୍କ ଉପରେ ସଂଖ୍ୟାଲଘୁ ଆଲ୍‌ଓ୍ବି ଶାସନ କରିଥିଲେ। ଏଣୁ ସୁନ୍ନିମାନେ ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସାଧାରଣତଃ ସିରିଆରେ ବିବିଧ ବିଭିନ୍ନ ବର୍ଗର ଲୋକ ରହୁଥିବାରୁ ତାହା ଜାତି ଏବଂ ସାମ୍ପ୍ରଦାୟିକ ବିଭାଜନ ରାଜନୀତିର ସହଜରେ ଶିକାର ହୋଇପାରେ। ଅବଶ୍ୟ ଅସାଦ୍‌ ବିମାନ ଯୋଗେ ବାହାର ଦେଶକୁ ଚାଲିଯିବା ପୂର୍ବରୁ ସିରିଆ କେବଳ ନାମକୁମାତ୍ର ଦେଶ ହୋଇ ରହିଆସିଛି। ଏଠାରେ ଗୃହଯୁଦ୍ଧ ଦେଶକୁ ଅନେକ ଭାଗରେ ବିଭକ୍ତ କରିଥିଲା, ଯାହା ପ୍ରାୟତଃ ପ୍ରଭାବଶାଳୀ ଶତ୍ରୁ ଗୋଷ୍ଠୀର ନିୟନ୍ତ୍ରଣରେ ରହିଆସିଛି। ସେହି ଗୋଷ୍ଠୀ ମଧ୍ୟରୁ ଗୋଟିଏ ହେଉଛି ସିରିଆର କୁର୍ଦ୍ଦ ଆତଙ୍କବାଦୀ ସଂସ୍ଥା କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି (ପି.କେ.କେ)। ଏହା ସିରିଆର ଉତ୍ତରର ଏକ ବ୍ୟାପକ ଅଂଶକୁ ନିୟନ୍ତ୍ରଣ କରିବା ପାଇଁ ତୁର୍କୀକୁ ଉସୁକାଉଛି।

ଏବକାର ଏହିସବୁ ବିଭେଦ ମଧ୍ୟରେ ଉଗ୍ରବାଦୀ ଗୋଷ୍ଠୀ ଅସାଦ୍‌ଙ୍କ ପତନର ସୁଯୋଗ ନେଇ ଅଶାନ୍ତି ସୃଷ୍ଟି କରି ସେମାନଙ୍କ ଆଞ୍ଚଳିକ ସ୍ଥିତି ଏବଂ ଶକ୍ତିକୁ ଦୃଢ଼ କରିବା ପାଇଁ ଚେଷ୍ଟା କରିପାରନ୍ତି। ୨୦୧୪ରେ ଏଭଳି ଘଟିଥିଲା, ଯେତେବେଳେ ଇସ୍‌ଲାମିକ ଷ୍ଟେଟ୍‌ ଇରାକ ଏବଂ ସିରିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା, ଯାହା ଉଭୟ ଦେଶରେ ରାଜନୈତିକ ଅଶାନ୍ତି ସୃଷ୍ଟି କରିଥିଲା। ସିରିଆରେ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ବର୍ତ୍ତମାନ ସମାନ କାର୍ଯ୍ୟ କରିପାରନ୍ତି। ସେଥିପାଇଁ ଇସ୍ରାଏଲ ଗତ କିଛି ଦିନ ହେଲା ଏହାର ସୀମା ବାହାରେ ସିରିଆରେ ଏକ ସୁରକ୍ଷିତ ଜୋନ୍‌ ନିର୍ମାଣ କରିବା ସହ ଉଗ୍ରବାଦୀ ଗୋଷ୍ଠୀଙ୍କ ହାତରେ ଯେପରି ସିରିଆର ଅସ୍ତ୍ରଭଣ୍ଡାର ନ ପଡ଼ିବ, ତାହାକୁ ଦୃଷ୍ଟିରେ ରଖି ସେଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି। ଏହାର ଏକ ଉଦାହରଣ ହେଉଛି ଏଚ୍‌ଟିଏସ୍‌। ଏହା ଅଲ୍‌-କାଏଦାର ସହଯୋଗୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ପି.କେ.କେ. ପରି ଏହାକୁ ଆମେରିକା ଏବଂ ଅନ୍ୟ ଦେଶ ଆତଙ୍କବାଦୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ କରିଛି। ଏଚ୍‌ଟିଏସ୍‌ ନେତାମାନେ ଏକ ଉଦାରବାଦୀ ତଥା ଅନ୍ତର୍ଭୁକ୍ତି ସରକାର ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହି ଗୋଷ୍ଠୀର ଦମନମୂଳକ କାର୍ଯ୍ୟର ରେକର୍ଡ ରହିଛି। ଅଧିକ ବିସ୍ତୃତ ଭାବରେ ବିଚାର କଲେ ସିରିଆର ଏବକାର ବିଭାଜିତ ଦଳଗୁଡିକ ସମାଧାନ କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଏକାଠି କାମ କରିବାର ସମ୍ଭାବନା କମ୍‌।

ଆଗକୁ ସିରିଆରେ ସର୍ବପ୍ରଥମେ ଏକ ସମାବେଶୀ ରାଜନୈତିକ ପରିବର୍ତ୍ତନ ଆଣିବା ଦରକାର ଏବଂ ଏହାର ବହୁସଂଖ୍ୟକ ନେତାଙ୍କ ସାମର୍ଥ୍ୟ ଉପରେ ନିର୍ଭର କରେ। ଏକ କାର୍ଯ୍ୟକ୍ଷମ ବ୍ୟବସ୍ଥାର ପୁନଃ ନିର୍ମାଣ ପାଇଁ ସିରିଆ ଆଞ୍ଚଳିକ ଅଖଣ୍ଡତାର ପୁନରୁଦ୍ଧାର ଆବଶ୍ୟକ। ଜାତୀୟ ଏକତା ପାଇଁ ଏକାଧିକ ଆଞ୍ଚଳିକ ଭାଗୀଦାରି ସେମାନଙ୍କ କ୍ଷମତା ଶେୟାର କରିବା ସହ ଓ ସେମାନଙ୍କ ସ୍ବାୟତ୍ତତାକୁ ତ୍ୟାଗ କରିବାର ଇଚ୍ଛାଶକ୍ତି ଲୋଡ଼ା। ଏହା ବ୍ୟତୀତ ଅନ୍ୟ ଏକ ପ୍ରମୁଖ ଆହ୍ବାନ ହେଉଛି, ସିରିଆବାସୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବା ଭଳି ଏକ ନୂତନ ସାମାଜିକ ଚୁକ୍ତିନାମା ଗଢ଼ିବା ସକାଶେ ସିରିଆବାସୀଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିବ, କିନ୍ତୁ ଏଥିରେ ଅନ୍ତର୍ଜାତୀୟ ସମୁଦାୟର ପ୍ରମୁଖ ଭୂମିକା ରହିଛି। ଯେଉଁମାନେ ଆରମ୍ଭରୁ ସିରିଆରେ ଶାସନ ହାତକୁ ନେବାକୁ ଯାଉଛନ୍ତି, ସେମାନେ ଇରାକର ବାଥ୍‌ ଶାସନ କିଭଳି ହିଂସାମତ୍କ ବିଶୃଙ୍ଖଳା ସୃଷ୍ଟି କରିଥିଲା ସେଥିରୁ ଶିକ୍ଷାନେବା ଉଚିତ। ଅସାଦ୍‌ ଶାସନର ମେରୁଦଣ୍ଡ ରହିଥିବା ଆଲ୍‌ୱିମାନଙ୍କୁ ବଳପୂର୍ବକ ହଟାଇ ନ ଦେବା ପାଇଁ ବିରୋଧୀ ଗୋଷ୍ଠୀଗୁଡ଼ିକ ଉପରେ ବାହ୍ୟ ଶକ୍ତିମାନେ ଚାପ ପକାଇବା ଉଚିତ।

ବହୁ ପକ୍ଷଙ୍କୁ ନେଇ ଏକ ମିଳତ ସରକାରରେ ଯଦି ଆଲ୍‌ୱି ନେତାମାନଙ୍କୁ ଅଧିକ ଜଡ଼ିତ କରାଯାଏ, ତେବେ ସ୍ଥାୟୀ ସମାଧାନର ଅଧିକ ଆଶା ରହିିବ। ତେବେ ତୁର୍କୀ ଏବଂ ଆମେରିକାର ସିରିଆରେ ଥିବା ସପକ୍ଷବାଦୀ ସିରିଆନ୍‌ ନ୍ୟାଶନାଲ ଆର୍ମି ଏବଂ ସିରିଆନ୍‌ ଡେମୋକ୍ରାଟିକ ଫୋର୍ସ ଉପରେ ଗଠନମୂଳକ କାର୍ଯ୍ୟରେ ଭାଗୀଦାରି ହେବା ଏବଂ ପରିବର୍ତ୍ତିତ ସରକାର ସହ କାର୍ଯ୍ୟ କରିବା ପାଇଁ ଚାପ ପକାଇବା ଦରକାର। ଅନ୍ୟ ଦେଶଗୁଡ଼ିକ ମଧ୍ୟ ସିରିଆର ପରବର୍ତ୍ତୀ ପତନକୁ ରୋକିବାରେ ସାହାଯ୍ୟ କରିବା ସହ ସିରିଆ ବ୍ୟବସ୍ଥା ଏବଂ ତାହାର ଅର୍ଥନୀତି କିଭଳି ଆଗକୁ ପତନ ନ ଘଟିବ, ସେଥିପାଇଁ ସାହାଯ୍ୟ କରିପାରିବେ। ଯଦି ସିରିଆରେ ଜୀବନ ମାନରେ ଅବକ୍ଷୟ ଘଟିଚାଲିବ ଏବଂ ସ୍ବାସ୍ଥ୍ୟସେବା ଓ ଶିକ୍ଷା ଭଳି ମୌଳିକ ସେବାରୁ ଲୋକେ ବଞ୍ଚତ୍ତ ହେବେ, ତେବେ ସଂଘର୍ଷ ପରବର୍ତ୍ତୀ ଥଇଥାନ ଅଧିକ କଷ୍ଟକର ହୋଇପଡ଼ିବ। ଠିକ୍‌ ଏହି ପରିସ୍ଥିତିରେ ଇରାକରେ ଶାସନ ପରିବର୍ତ୍ତନ ମୌଳବାଦ ଏବଂ ବ୍ୟବସ୍ଥାରେ ବିଫଳତା ସୃଷ୍ଟି କରିଥିଲା।

ଏଣୁ ଅନ୍ତର୍ଜାତୀୟ ସମୁଦାୟ ଦକ୍ଷତା ବିକାଶ ପଦକ୍ଷେପ ସହିତ ବିତ୍ତୀୟ ଓ ମାନବିକ ସହାୟତା କୈନ୍ଦ୍ରିକ ଏକ ବହୁଦେଶୀୟ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ। ବହୁସଂଖ୍ୟକ ସିରିଆ ଶରଣାର୍ଥୀଙ୍କୁ ନିଜ ଦେଶରେ ସ୍ଥାନ ଦେଇଥିବା ତୁର୍କୀ ଏବଂ ୟୁରୋପୀୟ ୟୁନିଅନ ସେମାନଙ୍କ ନିରାପଦ, ସ୍ବେଚ୍ଛାକୃତ ପ୍ରତ୍ୟାବର୍ତ୍ତନ ପାଇଁ ସଠିକ୍‌ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାକୁ ଦୃଢ଼ କରିବା ପାଇଁ ତୁରନ୍ତ ବହୁପକ୍ଷୀୟ ରଣନୀତି କାର୍ଯ୍ୟକାରୀ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଅସାଦ୍‌ଙ୍କ ପତନ ଏକ ପ୍ରମୁଖ ଆରବ ରାଷ୍ଟ୍ରର ରାଜନୈତିକ ଏବଂ ଅର୍ଥନୈତିକ ପୁନଃ ନିର୍ମାଣ ଏବଂ ଏହାର ଆଞ୍ଚଳିକ ଭୂମିକାର ପୁନର୍ଗଠନ ଲାଗି ଏକ ସୁଯୋଗ ସୃଷ୍ଟି କରିଛି, କିନ୍ତୁ ଆଗାମୀ କିଛି ମାସ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ସଂଘର୍ଷ ପରବର୍ତ୍ତୀ ସାମାଜିକ ସ୍ଥିରତା ଆଣିବା ପ୍ରୟାସର ରେକର୍ଡ ସଫଳ ହୋଇନାହିଁ। ଆଫଗାନିସ୍ତାନ, ଇରାକ୍‌ ଏବଂ ଲିବ୍ୟା ଭଳି ସିରିଆରେ ଗତ ୧୩ ବର୍ଷ ଧରି ଏଭଳି ସ୍ଥିତି ଦେଖାଦେଇଛି। ଏବେ ଏହାକୁ ସୁଧାରିବାର ବେଳ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?