ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା ଦୁଃସ୍ବପ୍ନ ପାଲଟିଗଲେ କଥା ସରିଲା। ମେଳା ଭିତରେ ଭଳିକିଭଳି ଦୋଳି ପିଲା ସହ ବୟସ୍କଙ୍କୁ ମଧ୍ୟ ଆକର୍ଷିତ କରେ। ଅନେକ ସମୟରେ ଭାରତରେ ଦେଖାଯାଉଛି ମେଳାରେ ଖଞ୍ଜାଯାଇଥିବା ଦୋଳି ବା ଚିତ୍ତବିନୋଦନ ଯୋଗାଉଥିବା ସାଧନରେ ତ୍ରୁଟି ଥିବାରୁ ଅସ୍ବାଭାବିକ ସ୍ଥିତି ଉପୁଜୁଛି। ଏପରିକି ମଣିଷର ଜୀବନ ଯିବା ଭଳି ଘଟଣା ଦେଖାଯାଉଛି। ହରିୟାଣାର ଫରିଦାବାଦରେ ଚାଲିଥିବା ସୂରଜକୁଣ୍ଡ ମେଳାରେ ୭ ଫେବୃଆରୀରେ ଏକ ବଡ଼ ଦୋଳି ଖସିପଡ଼ିବାରୁ ୫୯ ବର୍ଷୀୟ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଟିକେ ପଛକୁ ଫେରିଲେ ୧୯ ଜାନୁଆରୀ ୨୦୨୬ରେ ମଧ୍ୟପ୍ରଦେଶର ଝାବୁଆ ସହରରେ ଦୋଳିରେ ବସିଥିବା ଏକ ସରକାରୀ ବିଦ୍ୟାଳୟର ୧୪ ଜଣ ପିଲା ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ଛାତ୍ରୀ ଥିଲେ। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୦୨୫ ଏପ୍ରିଲ ୩ରେ ଦିଲ୍ଲୀରେ ଜଣେ ୨୪ ବର୍ଷୀୟା ମହିଳା ତାଙ୍କ ସିଟ୍‌ ବେଲ୍ଟ ଖରାପ ହୋଇଯିବାରୁ ସେ ରୋଲର କୋଷ୍ଟରରୁ ଖସି ପଡ଼ି ପ୍ରାଣ ହରାଇଥିଲେ। ଓଡ଼ିଶାରେ କଟକ ବାଲିଯାତ୍ରାରେ ମଧ୍ୟ ଅଘଟଣ ଘଟିବାର ଦୃଷ୍ଟାନ୍ତ ରହିଛି। ୧୨ ନଭେମ୍ବର ୨୦୨୫ରେ ବାଲିଯାତ୍ରା ତଳପଡ଼ିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ୫୦ ଫୁଟ ଉପରେ ଦୋଳି ଅଟକିଯିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ୮ ଜଣ ଡରି ଚିତ୍କାର କରିଥିଲେ। ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲା। ଏଭଳି ଅସ୍ବାଭାବିକ ଘଟଣା ଖୋଜିଲେ ତାଲିକା ଲମ୍ବିଚାଲିବ।
ଅନେକ ସମୟରେ ସୁରକ୍ଷା ଦିଗକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଅସ୍ବାଭାବିକ ସ୍ଥିତି ଉତ୍ପନ୍ନ ହେଉଛି। ସାଧାରଣତଃ ଯାଞ୍ଚକାରୀ ସଂସ୍ଥା ଦୋଳିର ସ୍ଥିତିକୁ ଅନୁଧ୍ୟାନ କରି ନ ଥାଆନ୍ତି। ଅଘଟଣ ଘଟିବା ପରେ ସେଥିରେ ସମ୍ପୃକ୍ତ ଜଣେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ନେଇଥାଏ। ମେଳା ଆୟୋଜକମାନେ ଲାଭକୁ ସବୁକିଛି ଧରିନେଉଥିବାରୁ ସେମାନଙ୍କ ପାଇଁ ଦର୍ଶକଙ୍କ ନିରାପତ୍ତା ବିଶେଷ ଗୁରୁତ୍ୱ ରଖୁନାହିଁ। ପ୍ରଶାସନ, ପୋଲିସ ଓ ଆୟୋଜନକାରୀଙ୍କର ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱ ରହୁ ନ ଥିବାରୁ ସବୁକିଛି ବେଢଙ୍ଗରେ ଚାଲୁଥିବା ଭଳି ମନେହେଉଛି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନସ୍ଥଳୀ ବିଶେଷକରି ପରିବେଶ ପର୍ଯ୍ୟଟନସ୍ଥଳୀକୁ ଦେଖିଲେ ସ୍ଥିତି ଦିନକୁ ଦିନ କିଭଳି ବିଗିଡ଼ି ଯାଉଛି ଲକ୍ଷ୍ୟ କରିବା କଥା। ନିଜ ଗାଁ କିମ୍ବା ସହରଠାରୁ ଭିନ୍ନ ସ୍ଥାନକୁ ଭ୍ରମଣରେ ଯିବା ଉଦ୍ଦେଶ୍ୟ ରଖି ପ୍ରକୃତିପ୍ରେମୀମାନେ ବଣଜଙ୍ଗଲ, ପାହାଡ଼, ଝରଣା ଆଦିକୁ ବୁଲି ଅବସର ସମୟ କଟାଇବାକୁ ଚାହିଁଥାଆନ୍ତି। ପ୍ରକୃତି କୋଳରେ କିଛି ସମୟ ବିତାଇଲେ ସେମାନେ ଅଫୁରନ୍ତ ଆନନ୍ଦ ପାଇଥାଆନ୍ତି। ମାତ୍ର ଦେଖାଯାଉଛି ପ୍ରାକୃତିକ ପରିବେଶକୁ ଲାଭ ଅର୍ଜନର କେନ୍ଦ୍ର କରିବା ସକାଶେ ସରକାରୀ ଓ ବେସରକାରୀ ସ୍ତରରେ ଗୋଟେ ଜୋରଦାର ଉଦ୍ୟମ ହେଉଛି। ଅତ୍ୟଧିକ ପଯର୍ର୍‌ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପାହାଡ଼ ତାଡ଼ି ରାସ୍ତା, କୋଠାବାଡ଼ି ତିଆରି କରାଯାଉଛି। ଫଳରେ ଭଙ୍ଗୁର ଅବସ୍ଥାରେ ଥିବା ପରିସଂସ୍ଥାନ ଦୁର୍ବଳ ହୋଇଯାଉଛି। ଉତ୍ତରାଖଣ୍ଡରେ ଚାରଧାମ ସଡ଼କ ପ୍ରକଳ୍ପ ପାଇଁ ଅପର୍ଯ୍ୟାପ୍ତ ଗଛ କଟାଯିବା ସହ ଅନିୟନ୍ତ୍ରିତ ନିର୍ମାଣ ସମ୍ପୃକ୍ତ ଅଞ୍ଚଳର ପରିବେଶକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଲାଣି। ଏ ନେଇ ପରିବେଶପ୍ରେମୀଙ୍କଠାରୁ ସ୍ଥାନୀୟ ଲୋକେ ସ୍ବର ଉଠାଉଥିଲେ ମଧ୍ୟ ସୁଫଳ ମିଳୁନାହିଁ।
ଆମୋଦପ୍ରମୋଦର କେନ୍ଦ୍ର କୁହାଯାଉଥିବା ଆକର୍ଷଣୀୟ ମେଳାର ଦୋଳି ହେଉ ବା ପର୍ଯ୍ୟଟନସ୍ଥଳୀରେ ରୋପ୍‌ ଓ୍ବେ ସୁରକ୍ଷିତ ରହିବା ନିତାନ୍ତ ଦରକାର। ଅନ୍ୟ ଦେଶଗୁଡ଼ିକ ପରିବେଶକୁ ଅକ୍ଷୁଣ୍ଣ ରଖି ସେମାନଙ୍କ ପର୍ଯ୍ୟଟନକୁ ବିକଶିତ କରିବା ସହ ସୁରକ୍ଷା ଦିଗକୁ ସର୍ବାଧିକ ଗୁରୁତ୍ୱ ଦେଇଥାଆନ୍ତି। ହେଲେ ଭାରତରେ ବେପରୁଆ ଭାବେ ସବୁକିଛି ଚାଲିଛି। ଏଥିସହିତ କୁହାଯାଇପାରେ ଯେ, ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ପ୍ରକୃତିକୁ ଅତିଷ୍ଠ କଲାଣି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ କୁଢ଼ କୁଢ଼ ପଲିଥିଲିନ୍‌ ବ୍ୟବହାର କରାଯାଇ ସେହିଠାରେ ତାହାକୁ ଛାଡ଼ି ଚାଲିଆସିବାର କୁଫଳ ଭୋଗିବା ଆରମ୍ଭ ହୋଇଥିଲେ ମଧ୍ୟ ସେଥିପ୍ରତି କାହାରି ନିଘା ରହୁନାହିଁ। ଜନସାଧାରଣ ନିଜର ବ୍ୟକ୍ତିଗତ ସୁରକ୍ଷା ପାଇଁ ଯେତେବେଳେ ଚିନ୍ତା କରୁନାହାନ୍ତି ସେତେବେଳେ ଲାଭକୁ ଆଖିଆଗରେ ରଖି କାର୍ଯ୍ୟ କରୁଥିବା ବ୍ୟକ୍ତି ବା ସଂସ୍ଥା ମନମୁଖି କାର୍ଯ୍ୟ କରିବା ସ୍ବାଭାବିକ। ସେଭଳି ସ୍ଥଳେ ଯାଞ୍ଚ ବା ସ୍ଥିତି ପରିଖିବାର ପ୍ରଶ୍ନ ଉଠି ନ ଥାଏ। ଗହଳି ଦେଖିବା ସତ୍ତ୍ୱେ ଥୋକେ ତା’ ଭିତରକୁ ମାଡ଼ିଯିବାକୁ ଆଗଭର। ଉଦ୍ଦେଶ୍ୟ ନିଜେ କିଭଳି ଆଗକୁ ଯାଇ ମଜା ନେଇଯିବେ। କେବଳ ଦୋଳି ଦୁର୍ଘଟଣା ନୁହେଁ, ମେଳା ମଉଛବରେ ଅତ୍ୟଧିକ ଭିଡ଼ ଅନେକ ସମୟରେ ଦଳାଚକଟାଜନିତ ମୃତ୍ୟୁର କାରଣ ପାଲଟିଥାଏ। ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକ ତା’ ଚିନ୍ତନରେ ପରିବର୍ତ୍ତନ ଆଣିବା ଦରକାର। କାରଣ ମନୋରଞ୍ଜନ ଯେତିକି ଗୁରୁତ୍ୱ ରଖୁଛି, ବ୍ୟକ୍ତିଗତ ସୁରକ୍ଷା ତତୋଽଧିକ ଗୁରୁତ୍ୱପୂର୍ଣ୍ଣ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଜାପାନ ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଦଳ ବିଜୟୀ

ଟୋକିଓ,୯ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ…

ପାକ୍‌ ଏଜେଣ୍ଟ ସହ ଗୌରବ, ତାଙ୍କ ସ୍ତ୍ରୀଙ୍କ ନିବିଡ଼ ସମ୍ପର୍କ: ହିମନ୍ତ

ଗୁଆହାଟୀ,୯ା୨(ପି.ଟି.): ଆସାମ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନ ସହ ନିବିଡ଼ ସମ୍ପର୍କ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ…

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri