ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଘଟିଛି। ମୃତକ କୁବୁରୀ ମହୁଲ ଗ୍ରାମର ସୁଦୀତ କୁମାର ନାଗ (୨୫) ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଛାତ୍ର ଜଣକ ଅନୁଷ୍ଠାନରେ ପ୍ରଥମେ ଅସୁସ୍ଥ ଅନୁଭବ କରିଥିଲେ ।ଅସୁସ୍ଥତାକୁ ନେଇ ତାଙ୍କ ସହଯୋଗୀ ସାଙ୍ଗମାନଙ୍କୁ ଜଣାଇଥିଲେ। କିଛି ସମୟ ପରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।ସାଙ୍ଗମାନେ କହିଛନ୍ତି, ଅଚେତ୍ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ମୁହଁରୁ ଫେଣ ବାହାରୁଥିଲା। ପରେ ସାଙ୍ଗମାନେ ତାଙ୍କୁ ତୁରନ୍ତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ।
ମାତ୍ର ସେଠାରେ ଡାକ୍ତର ତାଙ୍କୁ ଅପରାହ୍ନରେ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆଇଟିଆଇ ଛାତ୍ରଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଛାତ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।