ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟର୍ସରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଏପରି କି ପୋଲିସ ରାତି ଅଧିଆ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ନେଇ ପ୍ରଶ୍ନ ଉଠିିଛି।

ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଭିତରେ ସହାୟକ ଭାବେ କାମ କରୁଥିଲେ ବଲାଙ୍ଗୀର ଜିଲା ପାଟଣାଗଡ ବେଲପଡାର ଶଙ୍କର୍ଷଣ ନାଗ। ୪୬ ବର୍ଷିୟ ଶଙ୍କର୍ଷଣଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଶଙ୍କର୍ଷଣଙ୍କୁ ବୁଧବାର ସକାଳ ସାଢେ ୬ଟାରୁ ମନ୍ତ୍ରୀଙ୍କ କ୍ବାର୍ଟର୍ସରୁ ସିଧା କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପୋଲିସ ରାଗିରେ ରାତିରେ ଶବ ବ୍ୟବଚ୍ଛେଦ କରାଇ ଶଙ୍କର୍ଷଣଙ୍କ ମୃତ ଦେହକୁ ନିଜ ଗାଁକୁ ପଠାଇ ଦେଇଥିଲା। ସେପଟେ ଶଙ୍କର୍ଷଣଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଯାଇଥିବା ପୋଲିସ କହୁଥିବାବେଳେ ତାଙ୍କ ଘରେ କିନ୍ତୁ ତାଲା ଝୁଲୁଥିବା ଜଣାପଡ଼ିଛି।

କ୍ୟାପିଟାଲ୍‌ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଷଙ୍କର୍ଷଣ ତାଙ୍କ ପରିବାର ସହ ମନ୍ତ୍ରୀଙ୍କ କ୍ୱାର୍ଟର୍ସରେ ରହୁଥିଲେ। ବୁଧବାର ସକାଳେ କ୍ୱାର୍ଟର୍ସର ଫ୍ୟାନ୍‌ ସୁଇଚ୍‌ ମାରିବା ସମୟରେ ଶଙ୍କର୍ଷଣଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ସେ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିବାବେଳେ ଡାକ୍ତର ଶଙ୍କର୍ଷଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ତେବେ ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ହୋଇଛି କି ନାହିଁ ସେନେଇ ପୋଲିସ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ଶଙ୍କର୍ଷଣଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନ ଥିବାରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।
କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଇନ୍‌ଚାର୍ଜ ଡାକ୍ତର ସୁଶାନ୍ତ କୁମାର ନାୟକ କହିଛନ୍ତି ଯେ, ସେ ବାଟରେ ମରିଛନ୍ତି କି ଘରେ ମରିଛନ୍ତି, ସେ ବିଷୟରେ କହିିହେବନି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ। ଶବ ବ୍ୟବଛେଦ ରିପୋର୍ଟ ଆମେ ସାର୍ବଜନୀନ କରିପାରିବୁ ନାହିଁ। ଆମ ପୋଲିସକୁ ଦେବୁ ପୋଲିସ ତାର ତଦନ୍ତ କରିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ପୂର୍ବରୁ ବିଜେଡ଼ି ମନ୍ତ୍ରୀ ଥିବା ନବ ଦାଶଙ୍କ କ୍ୱାର୍ଟର୍ସରୁ ତାଙ୍କ ଘରୋଇ ସହାୟକଙ୍କ ମୃତଦେହ ମିଳିଥିଲା। ସେହିପରି ଏକାଧିକ ବିଧାୟଙ୍କ ଘରୁ ସହାୟକଙ୍କ ମୃତଦେହ ମିଳିଛି। ଏହି ଘଟଣା ମଧ୍ୟ ରହସ୍ୟ ହୋଇ ରହିଛି।

Dharitri – Odisha’s No.1 Odia Daily