ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ ଗଣତି କରାଯିବ। ଭୋଟିଂରେ ସାମିଲ ହୋଇଛନ୍ତି ଅନେକ ବିଧାୟକ। ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ମଧ୍ୟ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ସେ କହିଛନ୍ତି, ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ ଦେଇଛି। ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ। ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା। କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି। ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି। କିଛି ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନଙ୍କୁ ବିଜେଡିରୁ ବିଦା କରାଯାଇଥିଲା।
ସୂଚନାଯୋଗ୍ୟ, ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଭାଜପା ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଭାଜପା ସମର୍ଥନରେ ସ୍ବାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ କରାଯାଇଛି। ୩ ଦଳର ସମର୍ଥନରେ ଦତ୍ତେଶ୍ୱର ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ୪ ଆସନ ଲାଗି ୫ ଜଣ ପ୍ରାର୍ଥୀ ଥିବାରୁ ରାଜ୍ୟ ସଭା ପାଇଁ ନିର୍ବାଚନ ହେଉଛି।
Dharitri – Odisha’s No.1 Odia Daily
</div

