ସୂଚନା ମୁତାବକ, ଉଭୟ ରାଜ୍ୟ ପକ୍ଷରୁ ଚାଷୀଙ୍କୁ କିଷାନ କାର୍ଡ ଯୋଗାଇ ଦିଆଯାଉଛି। ହେଲେ ଆନ୍ଧ୍ର ପକ୍ଷରୁ ଯୋଗାଇ ଦିଆ ଯାଇଥିବା ପିଏମ କିଷାନ କାର୍ଡରେ ବର୍ଷକୁ ୩ଟି ପର୍ଯ୍ୟାୟରେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଥିବା ବେଳେ ଓଡିଶା ଏବଂ କେନ୍ଦ୍ର ଉଭୟ ସରକାର ଙ୍କ ପକ୍ଷରୁ ବର୍ଷକୁ ତିନୋଟି ପର୍ଯ୍ୟାୟରେ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପଟ୍ଟାଙ୍ଗି କୃଷି ବିଭାଗ ପକ୍ଷରୁ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଗ୍ରାମର ୩୦୦ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସମ୍ପୃକ୍ତ କରାଯିବା ସହ ପଞ୍ଚାୟତର ଅବଶିଷ୍ଟ ଗ୍ରାମରେ ୩୦୦ ଚାଷୀଙ୍କୁ ସମ୍ପୃକ୍ତ କରାଯାଇଛି । ଦୁଇ ରାଜ୍ୟର ଗୋଟିଏ ଯୋଜନାର ସହାୟତା କମ ବେଶି ରହିଥିବା ଦୃଶ୍ୟ ସୀମାନ୍ତବାସୀଙ୍କୁ ଆକୃଷ୍ଟ କରୁଛି । ସେପଟେ ପଡୋଶୀ ଆନ୍ଧ୍ର ରାଜ୍ୟର ବିଭିନ୍ନ ସରକାରୀ କର୍ମଚାରୀ ନିୟମିତ କୋଟିଆ ପଞ୍ଚାୟତ ର ସୀମାନ୍ତ ଗ୍ରାମ ପରିଦର୍ଶନ କରି ନିଜ ନିଜ ବିଭାଗର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ନିକଟତର ହେଉଥିଲେ ମଧ୍ୟ ଏଥିରେ ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ବିଶେଷ ପ୍ରଭାବ ପକାଇବା ପରି ଲାଗୁନାହିଁ । ଯେଉଁଥିପାଇଁ ଆନ୍ଧ୍ରର ସରକାରୀ କର୍ମଚାରୀଙ୍କୁ ସୀମାନ୍ତବାସୀଙ୍କୁ ନିଜ ହାତରେ ବାନ୍ଧି ରଖିବା ପାଇଁ ଅଧିକ ରୁ ଅଧିକ ସୁଯୋଗ ମିଳୁଛି । ଅନ୍ୟପକ୍ଷରେ ଉକ୍ତ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୮ ମାସ ହେଲା କୈଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନଥିବା ବେଳେ ବର୍ତ୍ତମାନ ପଞ୍ଚାୟତର କିଛି ଗ୍ରାମ ପାଇଁ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ପକ୍ଷରୁ ୫ଟି ଗ୍ରାମ ପାଇଁ ୨୫ଲକ୍ଷ ଟଙ୍କା ଅନୁଦାନ ଆସିଛି। ଏମିତିରେପଞ୍ଚାୟତର ଏହିପରି କାର୍ଯ୍ୟକ୍ରମକୁ ଦେଖି ସୀମାନ୍ତବାସୀ ପଡୋଶୀ ଆନ୍ଧ୍ର ଆଡକୁ ଢଳିବା ପାଇଁ ସୁଯୋଗ ଯୋଗାଇ ଦେଉଛି ବୋଲି ସରପଞ୍ଚ ଲିଉ ଗେମେଲ ପ୍ରକାଶ କରିଛନ୍ତି ।