କୋଦାଳ ଚୋଟରେ ANM ଭାଇବୋହୂଙ୍କ ଜୀବନ ନେଇ ଥାନାରେ ଆତ୍ମସମର୍ପଣ କଲେ ଦେଢ଼ଶୁର

ରାୟଗଡ଼ା/କଲ୍ୟାଣସିଂପୁର,୧୮ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ତେବେ ମୃତ ଭାଇବୋହୂ ହେଲେ ସୁରେନ୍ଦ୍ରୀ ସାରକା(୪୦)।

ପୂର୍ବ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଥିଲା। କଲହକୁ ନେଇ ଶୁକ୍ରବାର ସକାଳେ ସୁରେନ୍ଦ୍ରୀ ସାରକା ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ବାରମ୍ବାର ହାଣିଥିଲେ ଦେଢ଼ଶୁର ପ୍ରେପାକା ଲତରା। ପରେ ଖବର ପାଇ ସୁରେନ୍ଦ୍ରୀଙ୍କ ସ୍ବାମୀ ପ୍ରେପାକା ବୋଇ ମାଝୀ ତାଙ୍କୁ କଲ୍ୟାଣସିଂପୁରରୁ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ କଲ୍ୟାଣସିଂପୁର ଚିକିତ୍ସାଳୟରେ ଦୀର୍ଘ ୮ବର୍ଷ ହେବ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଅପରପକ୍ଷରେ ଅଭିଯୁକ୍ତ ପ୍ରେପକା ଲତରା କଲ୍ୟାଣସିଂପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Share