ଉଦଳା,୧୧।୮: ମୟୂରଭଞ୍ଜ ଜିଲାର ଉଦଳା ଅଞ୍ଚଳରେ ଏକ ଯୁବତୀଙ୍କ ଅପହରଣ ଅଭିଯୋଗରେ ନୂଆ ଟ୍ୱିଷ୍ଟ ଆସିଛି। କପ୍ତିପଦା ଥାନା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ୪ ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦିନଦ୍ୱିପ୍ରହରରେ ଅପହରଣ କରି ନେଇଥିବା ଅଭିଯୋଗ ଯୁବତୀଙ୍କ ବାପା କରିଥିଲେ। କିନ୍ତୁ ପୋଲିସ ତଦନ୍ତ ପରେ ଜଣାପଡ଼ିଛି ଯେ, ଏହା ଅପହରଣ ନ ଥିଲା, ବରଂ ଯୁବତୀ ଜଣେ ଯୁବକଙ୍କ ସହ ସ୍ୱେଚ୍ଛାପୂର୍ବକ ଚାଲିଯାଇଥିଲେ।
ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ପରେ ସେ ନିଜେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ କେହି ଅପହରଣ କରିନଥିଲେ ଏବଂ ସେ ନିଜ ଇଚ୍ଛାରେ ଜଣେ ଯୁବକଙ୍କ ସହ ଗଲେ। ସେ ଆହୁରି କହିଛନ୍ତି ଯେ, ତାଙ୍କ ବାପା ପୋଲିସ ଆଗରେ ମିଛ ଅପହରଣ ଅଭିଯୋଗ କରିଥିଲେ।
ଅପହୃତା ଯୁବତୀଙ୍କ ବାପା ଦାବି କରିଥିଲେ ଯେ, ଉଦଳା ବଜାରରେ ତାଙ୍କ ଝିଅକୁ ମୁଖାପିନ୍ଧା ଦୁର୍ବୃତ୍ତମାନେ ହତ୍ୟା ଧମକ ଦେଇ ଛଡ଼ାଇ ନେଇଥିଲେ। ସେ କପ୍ତିପଦା ଥାନାରେ ଏତଲା ଦେଇଥିଲେ, କିନ୍ତୁ ଘଟଣାର ୩ ଦିନ ପରେ ବି ପୋଲିସ କୌଣସି ସୁରାଗ ପାଇ ନ ଥିବା ଅଭିଯୋଗ କରିଥିଲେ। ସେ ଆହୁରି କହିଥିଲେ ଯେ ପୋଲିସ ଏହାକୁ ମିସିଂ କେସ୍ ଭାବେ ଗ୍ରହଣ କରି ନିଷ୍କ୍ରିୟ ରହିଥିଲା।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଥିଲା, କିନ୍ତୁ ଯୁବତୀଙ୍କ ବୟାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ଅପହରଣ ଅଭିଯୋଗ ମିଛ ଥିଲା। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।


