ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା ଭରସାରେ କଥାଟା ଶୁଣିଲାବେଳେ ଅଡୁଆ ଲାଗୁଛି। କିନ୍ତୁ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ବାଡାବାଙ୍ଗା ପଞ୍ଚାୟତ ଅଞ୍ଚଳରେ।
ପ୍ରକାଶ ଯେ, ଗତ ବର୍ଷା ଦିନ ଆରମ୍ଭରେ ଜଣେ ମହିଳା ଗୁଞ୍ଜ ପ୍ରଧାନ ନିଜ ବାଡ଼ିରେ ଘାସ ଉପାଡୁଥିବା ସମୟରେ ସାପଟି ମହିଳାଙ୍କ ବାମ ହାତକୁ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଦେଶୀ ଚିକିତ୍ସିକ ନିକଟକୁ ପରିବାର ଲୋକ ନେଇଥିଲେ ଓ ସେ ଚେର ମୂଳି ଖାଇ ସୁସ୍ଥ ହୋଇଥିଲେ। କିଛି ଦିନ ବ୍ୟବଧାନରେ ସେ ତାଙ୍କ ଘରେ ଲୁଗା ସଫା କରି ଶୁଖାଉଥିବା ସମୟରେ ସାପଟି ପୁଣି ଦିତୀୟଥର କାମୁଡ଼ିଥିଲା। ପୁଣି ସେ ସେହି ଦେଶୀ ଚିକିତ୍ସିକ ନିକଟରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ସେହିପରି ତୃତୀୟ ଥର ପୁଣି ଛେଳି ଗୁହାଳରେ କାର୍ଯ୍ୟ କରୁଥିବା ଦୁଇ ଦୁଇ ଥର ବିଭିନ୍ନ ସମୟରେ ସାପ କାମୁଡର ଶିକାର ହୋଇଥିଲେ ଓ ସେହି ଦେଶୀ ଚିକିତ୍ସା ବଳରେ ସେ ସୁସ୍ଥ ହେଉଥିବା ଗୁଞ୍ଜ କହିଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ସେହି ବାମ ହାତରେ ହିଁ ତାଙ୍କୁ ୪ ଥର ସାପ କାମୁଡ଼ିଥିବା କହିଛନ୍ତି। ତାଙ୍କ ପରିବାରରେ ଅନ୍ୟ ଲୋକ ରହିଥିଲେ ମଧ୍ୟ ଗୁଞ୍ଜଙ୍କୁ ହିଁ କାହିଁକି ସାପ ଆକ୍ରମଣ କରୁଛି ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଘଟଣାକୁ ନେଇ ଗାଁରେ ଆଲୋଚନା ମଧ୍ୟ ହେଉଥିବା ଜଣାପଡିଛି। ତେବେ ଏବେ ମଧ୍ୟ ଏଭଳି ଗୁଞ୍ଜଙ୍କ କ୍ଷେତ୍ରରେ ଘଟୁଥିବା ଘଟଣାଟି କାରଣ ଅସ୍ପଷ୍ଟ। ଛେଳି ଗୁହାଳରେ ସାପ ଦୁଇ ଦୁଇ ଥର କାମୁଡ଼ିବାରୁ ଗୁଞ୍ଜଙ୍କ ପରିବାର ଏବେ ଉକ୍ତ ଗୁହାଳଘରକୁ ଭାଙ୍ଗି ଚୁରମାର କରିଦେବା ସହ ସମସ୍ତେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁଞ୍ଜ ମଧ୍ୟ ଚାଷ କାର୍ଯ୍ୟ କିମ୍ବା ଜଙ୍ଗଲକୁ କାମ କରିବାକୁ ଘରୁ ଗୋଡ଼ ବାହାର କରିବାକୁ ଭୟଭୀତ ଅଛନ୍ତି।
Dharitri – Odisha’s No.1 Odia Daily


