ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ

ବାଲେଶ୍ୱର ଅଫିସ,୧୬।୫: ଦିଲ୍ଲୀର ମୁଣ୍ଡ୍‌କା ମେଟ୍ରୋ ଷ୍ଟେଶନ ନିକଟ ୪ ମହଲା ବିଲ୍ଡିଂରେ ବଡ ଧରଣର ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଗ୍ନି ନିରାପତ୍ତା ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ରବିବାର ସହରର ବିଭିନ୍ନ ମଲ୍‌ ଉପରେ ଚଢ଼ାଉ କରାଯାଇଥିଲା। ମଲ୍‌ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ସେନେଇ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ଟିମ୍‌ ସହରରେ ଥିବା ମଲ୍‌ଗୁଡ଼ିକର ତଦାରଖ କରିଥିଲେ। ମଲ୍‌ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଥିବା ନେଇ ତାଗିଦ୍‌ କରାଯିବା ସହ ହଠାତ୍‌ ଅଗ୍ନିକାଣ୍ଡ ଘଟିଲେ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେନେଇ ମଲ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗର ଏକ ଟିମ୍‌ ଟ୍ରେନିଂ ଦେଇଥିଲେ। ତେବେ ଆଗାମୀ ଦିନରେ ବିଭିନ୍ନ ସପିଂମଲ୍‌ ଓ ବଡ଼ ବଡ଼ କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଚଢ଼ାଉ ଜାରି ରହିବ ବୋଲି ଜିଲା ଅଗ୍ନିଶମ ଅଧିକାରୀ ପୁରନ ସୋରେନ ସୂଚନା ଦେଇଛନ୍ତି।