ଅସମ୍ଭାଳ ଖରା, ଜନଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ସରକାରୀ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକ ସକାଳୁଆ ହୋଇଥିବାରୁ ଛାତ୍ରୀଛାତ୍ର ଖରାର ପ୍ରକୋପରୁ ତ୍ରାହି ପାଉଥିଲେ ମଧ୍ୟ ସାଧାରଣ ଲୋକେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟ ସହ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ଯୋଗୁ ତାତିରୁ ନିସ୍ତାର ପାଇପାରୁ ନାହାନ୍ତି। ସମ୍ପ୍ରତି ଧରାକୋଟ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଛି। ଏଣୁ ମଣିଷଠାରୁ ପଶୁ ପକ୍ଷୀ ସମସ୍ତେ ଏଥିରେ କବଳିତ ହେଲେଣି। ବନ୍ଧ, ପୋଖରୀ, ଗାଡ଼ିଆ, କୂଅ ଶୁଖିଲା ପଡ଼ିଛି। ଚାରିଆଡ଼େ ଜଳ କଷ୍ଟ ଅନୁଭୂତ ହେଲାଣି। ଗାଁଗାଁରେ ପିଇବା ପାଣି ସମସ୍ୟା ଦେଖା ଦେଲାଣି। ବାଟୋଇମାନଙ୍କ ଜଳ କଷ୍ଟ ଦୂର ପାଇଁ ବିଭିନ୍ନ ପଞ୍ଚାୟତରେ ଖୋଲିଥିବା ଜଳଛତ୍ର କିଛି ମାତ୍ରାରେ ତୃଷା ମେଣ୍ଟାଉଛି। କିନ୍ତୁ ଏହା ପର୍ଯ୍ୟାପ୍ତ ପରିମାଣରେ ଖୋଲି ନାହିଁ। ଏଣୁ ଅଧିକ ଜଳଛତ୍ର ଖୋଲିବା ପାଇଁ ଦାବି ହେଉଛି। ଚଳିତ ବର୍ଷ ସ୍ବାଭାବିକ ପରିମାଣର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣୁ ପ୍ରଶାସନିକସ୍ତରରେ ବର୍ତ୍ତମାନଠାରୁ ବନ୍ଧ, ପୋଖରୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ନ ସାରିଲେ ଆଗକୁ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହାର ପ୍ରଭାବ ଋତୁଚକ୍ର ଉପରେ ପଡୁଛି। ଏଣୁ ପ୍ରଶାସନ ତରଫରୁ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି।

Share