ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମିକା ପିଇଲେ କୀଟନାଶକ, ପରେ ପ୍ରେମିକ ନେଲେ…

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା ଛାତ୍ରୀ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିବା ଖବର ପାଇ ଗ୍ରାମର ତାଙ୍କ ପୁରୁଷ ବନ୍ଧୁ ଯୁକ୍ତ ୩ ଛାତ୍ର ଶଙ୍କର ପ୍ରଧାନ ମାନସିକ ଭାରସାମ୍ୟ ହରାଇ ଅପରାହ୍ନରେ ଗ୍ରାମ ନିକଟ ରଘୁନାଥପୁର ପାହାଡ଼ ସଂଲଗ୍ନ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ପାଟପୁର ପୋଲିସ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ଉଭୟେ ଗୋଟିଏ କଲେଜରେ ପାଠ ପଢୁଥିବା ବେଳେ ଗତ କିଛି ବର୍ଷ ହେଲା ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ଶଙ୍କର ତାଙ୍କ ମାତାପିତାଙ୍କ ଏକମାତ୍ର ପୁଅ ଥିବା ଜଣାପଡିଛି। ଛାତ୍ରୀ ଜଣକ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଖବର ପ୍ରଘଟ ହେବା ପରେ ଶଙ୍କର ବିଚଳିତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଭୟ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଛାତ୍ରୀଙ୍କ ମୃତଦେହ ଗାଁ ଶ୍ମଶାନରେ ସଂସ୍କାର କରାଯାଇଥିବା ସୂଚନା ମିଳିଛି।