Categories: Uncategorized

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ ଏକାଠି ଆତ୍ମହତ୍ୟା କରିଛନ୍ତି। ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା। ୧୬ ବର୍ଷୀୟା ନିଶିକା, ୧୪ ବର୍ଷୀୟା ପ୍ରାଚୀ ଏବଂ ୧୨ ବର୍ଷୀୟା ପାଖି ଭାରତ ସିଟିର ବି୧ ଟାୱାରର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ପୋଲିସ ଅନୁଯାୟୀ, ଫ୍ଲାଟ ନମ୍ବର ୯୦୭ରେ ରହୁଥିବା ତିନି ଭଉଣୀ ଅନଲାଇନ ଗେମିଂରେ ପାଗଳ ଥିଲେ। ପରିବାର ପକ୍ଷରୁ ବିରୋଧ କରାଯିବା ପରେ ସେମାନେ ଏହି ଚରମ ପଦକ୍ଷେପ ନେଇଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସେମାନେ ଗତ ଦୁଇ ବର୍ଷ ଧରି ସ୍କୁଲ ନିୟମିତ ଯାଉ ନ ଥିଲେ ଏବଂ ଅଧିକାଂଶ ସମୟ ମୋବାଇଲ ଗେମ ଖେଳିବାରେ ବିତାଉଥିଲେ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ରାତି ପ୍ରାୟ ୨ଟା ସମୟରେ ତିନି ଭଉଣୀ ସେମାନଙ୍କ ରୁମ ଭିତରରୁ ବନ୍ଦ କରି ଦେଇଥିଲେ। ତା’ପରେ ସେମାନେ ଏକ ଷ୍ଟୁଲ ରଖି ବାଲକୋନିରୁ ଡେଇଁ ପଡ଼ିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତିନି ଜଣଙ୍କୁ ଲୋନି ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଘଟଣାସ୍ଥଳରୁ ଏକ ପକେଟ ଡାଏରୀ ଜବତ କରିଛି। ଏଥିରେ ଏକ ଆଠ ପୃଷ୍ଠାର ସୁଇସାଇଡ ନୋଟ ଥିଲା। ସୁଇସାଇଡ ନୋଟରେ ତିନି ଭଉଣୀ ସେମାନଙ୍କର ଖେଳ ଏବଂ ଅନ୍ୟାନ୍ୟ ମୋବାଇଲ କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରିଥିଲେ। ସେମାନେ ଖେଳକୁ ଏତେ ଭଲ ପାଉଥିଲେ ଯେ ସେମାନେ ଛାଡି ପାରି ନ ଥିଲେ। ସୁଇସାଇଡ ନୋଟର ଶେଷ ଭାଗରେ ଥିଲା, ପାପା, ମୁଁ ସରି।

ପୋଲିସ ଅନୁଯାୟୀ, ମଝିିଆଁ ଭଉଣୀ ପ୍ରାଚୀ ଖେଳରେ ମାଲିକର ଭୂମିକା ଗ୍ରହଣ କରିଥିଲେ। ତିନି ଭଉଣୀ ଖାଇବା ଠାରୁ ଆରମ୍ଭ କରି ଦୈନନ୍ଦିନ କାମ ପର୍ଯ୍ୟନ୍ତ ଏକାଠି ସବୁକିଛି କରୁଥିଲେ।

ନାବାଳିକାଙ୍କ ବାପା କହିଛନ୍ତି,ସେମାନେ ମୋତେ କହିଥିଲେ, ପାପା ଆମେ କୋରିଆନ ଗେମ୍‌କୁ ଛାଡିପାରିବୁ ନାହିଁ। କୋରିଆନ ଗେମ୍‌ ହେଉଛି ଆମର ଜୀବନ। ଏହା ଆମ ପାଇଁ ସବୁକିଛି। ତୁମେ ଆମକୁ ଏଥିରୁ ଅଲଗା କରିପାରିବ ନାହିଁ। ଆମେ ଆମର ଜୀବନ ତ୍ୟାଗ କରିଦେବୁ। ମୁଁ ବର୍ତ୍ତମାନ ସୁଇସାଇଡ ନୋଟ ଦେଖିଲି। ଏହା ବହୁତ ଦୁଃଖଦ। ମୁଁ ସମସ୍ତ ମାତାପିତାଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। ପିଲାମାନେ ଖେଳରେ ଏତେ ଗଭୀର ଭାବରେ ଜଡିତ ନ ହୁଅନ୍ତୁ।

 

Dharitri – Odisha’s No.1 Odia Daily