ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ମଙ୍ଗଳବାର ଖୁଚୁରା ବଜାରରେ ଚିନିର ଦାମ ପ୍ରାୟ ୧ ଟଙ୍କା ବଢ଼ି କିଲୋ ପିଛା ୬୪ ଟଙ୍କା ନିକଟରେ ପହଞ୍ଚିଛି। ସୋମବାର ଏହାର ହାରାହାରି ଦର କିଲୋ ପିଛା ୬୩.୦୫ ଟଙ୍କା ଥିଲା।
ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ନିରୀକ୍ଷଣ ପ୍ରଭାଗର ତଥ୍ୟ ଅନୁସାରେ, ଅଗଷ୍ଟ ୨୫ରେ ଚିନିର ସର୍ବଭାରତୀୟ ହାରାହାରି ଦର କିଲୋ ପିଛା ୬୩.୯୭ ଟଙ୍କା ରହିଥିଲା। ଏକ ମାସ ପୂର୍ବରୁ ଚିନିର ଦର କିଲୋ ପିଛା ୪୮.୮୧ ଟଙ୍କା ଥିଲା। ଅର୍ଥାତ୍ ଏକ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ହୋଇଛି।
ସେହିପରି, ଗତ ବର୍ଷ ଅଗଷ୍ଟ ତୁଳନାରେ ଚିନି ଦର ପ୍ରାୟ ୩୮ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଏହି ସମୟରେ ଚିନି କିଲୋ ପିଛା ପ୍ରାୟ ୪୬.୩୧ ଟଙ୍କାରେ ମିଳୁଥିଲା।
ରିପୋର୍ଟରେ କୁହାଯାଇଛି ଯେ, ସୋମବାର ଚିନିର ସର୍ବାଧିକ ବିକ୍ରୟ ଦର କିଲୋ ପିଛା ୭୬ ଟଙ୍କା ଥିଲା। ସେହିପରି ଚିନିର ‘ମଡେଲ ରେଟ’ କିଲୋ ପିଛା ୬୫ ଟଙ୍କା ରହିଥିଲା। ସରକାର ଏବଂ ଚିନି ଶିଳ୍ପ ସଂଗଠନଗୁଡ଼ିକ କହିଛନ୍ତି ଯେ ଗତ କିଛି ଦିନ ହେବ ଚିନି ମିଲ୍ଗୁଡ଼ିକରେ ଏହାର ଦର ହ୍ରାସ ପାଇଛି। ତେବେ ଏହାର ପ୍ରଭାବ ଖୁଚୁରା ବଜାରରେ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ତଥ୍ୟ ଅନୁଯାୟୀ, ସୋମବାର ଚିନିର ଥୋକ ଦର କିଲୋ ପିଛା ୫୯.୨୩ ଟଙ୍କା ଥିଲା। ଏକ ମାସ ପୂର୍ବରୁ ଏହାର ଦର ୪୫.୩୫ ଟଙ୍କା ଏବଂ ଗତ ବର୍ଷ ଏହି ସମୟରେ ୪୩.୦୧ ଟଙ୍କା ପ୍ରତି କିଲୋ ଥିଲା।

