ବାସୁଦେବପୁର,୧୨ା୧୧(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତରେ ଲାଲାଜୀ ଗୌଡ଼ିୟ ମଠ ନିକଟରେ ମଙ୍ଗଳବାର ରାତିରେ ଅପେରା ରାଜନନ୍ଦିନୀ ଦ୍ୱାରା ନାଟକ ପରିବେଷଣ କରାଯାଉଥିଲା। ମେଲୋଡ଼ି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଦର୍ଶକ ଉପସ୍ଥାପକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଫଳରେ ଉପସ୍ଥାପକ ନିଜକୁ ଅପମାନିତ ମନେ କରି କାର୍ଯ୍ୟକ୍ରମ ବନ୍ଦ ରଖିଥିଲେ। ପରିଚାଳନା କମିଟି ଉକ୍ତ ଦର୍ଶକଙ୍କୁ ବାହାରକୁ ବାହାର କରିଦେଇଥିଲେ। ପରେ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକ ପରିବେଷଣ ଚାଲିଥିବା ବେଳେ ଜଣେ ପାର୍ଶ୍ୱ କଳାକାରଙ୍କ ଅଭିନୟରେ କ୍ଷୁବ୍ଧ ହୋଇ ଜଣେ ଦର୍ଶକ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିଲେ। ଏହାପରେ ଦର୍ଶକ ଜଣକ ମଞ୍ଚକୁ ଚଢ଼ି କଳାକାରଙ୍କୁ ମାଡ଼ ମାରିଥିଲେ। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାମାନେ ମଞ୍ଚ ଉପରେ ପହଞ୍ଚି ଉକ୍ତ ଦର୍ଶକଙ୍କୁ ଧରି ବାହାରକୁ ନେଇଯାଇଥିଲେ। କିଛି ସମୟ ଧରି ଦର୍ଶକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କିଛି ସମୟ ପରେ ଯୁବକ ଜଣକ କଳାକାର ଓ କମିଟି କର୍ମକର୍ତ୍ତାଙ୍କୁ କ୍ଷମା ମାଗିବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ପରେ ଯାତ୍ରା ପରିବେଷଣ କରାଯାଇଥିଲା।


