ସୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ

ବାଲେଶ୍ୱର,୧୨ା୭(ବାଞ୍ଛାନିଧି ଦେ): ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ମିଳିତ ଉଦ୍ୟମରେ ଶନିବାର ଦୃଶ୍ୟମାନ ପରିଧିଠାରୁ ବାହାରେ ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା (ବିଭିଆର୍‌ଏଏଏମ୍‌) ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରରେ ସ୍ବଦେଶୀ ଭାବେ ନିର୍ମିତ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଛି। ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ଭିନ୍ନଭିନ୍ନ ସ୍ତର, ଦିଗ, ଉତ୍‌କ୍ଷେପଣ ପରିସ୍ଥିତିରେ ଥିବା ଦୁଇଟି ମାନବବିହୀନ ଆକାଶମାର୍ଗ ଲକ୍ଷ୍ୟକୁ ଭେଦ କରିବା ଲାଗି ଦୁଇଟି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରାଯାଇଥିଲା। ଉଭୟ କ୍ଷେତ୍ରରେ, କ୍ଷେପଣାସ୍ତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସଠିକ ଭାବେ ଲକ୍ଷ୍ୟଗୁଡ଼ିକୁ ଧ୍ୱଂସ କରିଥିଲା।
ପରୀକ୍ଷଣ ସମୟରେ, ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା। ଏଥିରେ ଡିଆରଡିଓ ଦ୍ୱାରା ସ୍ବଦେଶୀ ଭାବରେ ଡିଜାଇନ ଏବଂ ବିକଶିତ କରାଯାଇଥିବା ରେଡିଓ ଫ୍ରିକୁଏନ୍ସି ସିକର୍‌ ମଧ୍ୟ ଅନ୍ତର୍ଭୁକ୍ତ। ଚାନ୍ଦିପୁରର ସମନୱିତ ପରୀକ୍ଷଣ ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କଏଦ ହୋଇଥିବା ଉଡ଼ାଣ ତଥ୍ୟ ମାଧ୍ୟମରେ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ତ୍ରୁଟିହୀନ କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରାଯାଇଥିଲା। ଏହି ସଫଳ ଉଡ଼ାଣ ପରୀକ୍ଷଣ ସୱଦେଶୀ ଭାବେ ନିର୍ମିତ ସିକର୍‌ ସହିତ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଠିକ ଲକ୍ଷ୍ୟଭେଦ କ୍ଷମତା ଏବଂ ଭରସାଯୋଗ୍ୟ କାର୍ଯ୍ୟଦକ୍ଷତାକୁ ପୁନଃ ପ୍ରମାଣିତ କରିଥିଲା।
ଅସ୍ତ୍ର ବିଭିଆରଏଏଏମ୍‌ ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି। ଏହି ଅସ୍ତ୍ର ପ୍ରଣାଳୀକୁ ସଫଳ ଭାବେ ନିର୍ମାଣ କରିବା ଲାଗି ଡିଆରଡିଓର ବିଭିନ୍ନ ପ୍ରୟୋଗଶାଳା ସମେତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ସମେତ ୫୦ରୁ ଅଧିକ ସରକାରୀ ଓ ଘରୋଇ ଶିଳ୍ପସଂସ୍ଥା ଯୋଗଦାନ ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରଏଫ୍‌ ସିକରରୁ ଡିଜାଇନ ଏବଂ ବିକାଶରେ ଜଡ଼ିତ ଡିଆର୍‌ଡିଓ, ଆଇଏଏଫ୍‌ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ସ୍ବଦେଶୀ ଆରଏଫ୍‌ ସିକର୍‌ ସହିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହାସଲ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Share