ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା। ତଦନ୍ତ ସମୟରେ ପଡ଼ୋଶୀ ଘରକୁ ସନ୍ଧାନୀ କୁକୁର ବାରମ୍ବାର ଯାଇଥିଲା। ପୋଲିସ ପଡ଼ୋଶୀ ଘରର ବାପ, ପୁଅଙ୍କୁ ଉଠାଇଆଣି ପଚରାଉଚରା କରୁଛି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ୍ ଟମ୍ ପହଞ୍ଚି ତଦନ୍ତ କରିଛି। ପରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ପଡ଼ୋଶୀ ବେଣୁ ଦାସଙ୍କ ଘର, ରୋଷେଇ ଘରକୁ ଯିବା ପରେ ଘର ଦେଇ ପଛପଟେ ଥିବା କେନାଲ ନିକଟକୁ ଯାଇ ଶୋଇ ରହିଥିଲା। କୁକୁର ବାରମ୍ବାର ବେଣୁଙ୍କ ଘରକୁ ଯାଇଥିବାରୁ ଓ ପରିବାର ଲୋକେ ବେଣୁଙ୍କ ନାଁରେ ପୋଲିସ ନିକଟରେ ଗୁରୁବାର ଅଭିଯୋଗ କରିଥିବାରୁ ବେଣୁ ଓ ତାଙ୍କ ପୁଅଙ୍କୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ରାଜନଗର ଥାନା ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲ୍ଲା ଗାଁରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୭ ବର୍ଷୀୟା ନାବାଳିକା ଶୁଭଲକ୍ଷ୍ମୀ ସେନାପତି ନିଖୋଜ ହୋଇଯାଇଥିଲେ। ତାଙ୍କ ଘର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗାଁରେ। ମାଳିପୁର ଗାଁର ମାନଗୋବିନ୍ଦ ସେନାପତିଙ୍କ ଝିଅ ତାଙ୍କ ମା’ ସହିତ ବର୍ଷେ ହେଲା ମାମୁ ଘରେ ରହୁଥିଲେ। ବଡକୋଲ୍ଲା ଗାଁରେ ଚାଲିଥିବା କୀର୍ତ୍ତନ ନିକଟରେ ଅନ୍ୟ ପିଲାଙ୍କ ସହ ଖେଳୁଥିଲେ। କିନ୍ତୁ ପରେ ନିଖୋଜ ହୋଇଯାଇଥିଲେ। ପରିବାର ଓ ଅନ୍ୟମାନେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ। ପରେ ପୋଲିସ, ଅଗ୍ନିଶମବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଶୁଭଲକ୍ଷ୍ମୀଙ୍କୁ ପାଇନଥିଲେ। ୫ ମାସ ତଳେ ପଡ଼ୋଶୀ ବେଣୁ ଦାସ ନାତିଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିଲା। ମୋ ନାତି ତମ ନାତୁଣୀ ପାଇଁ ମରିଛି, ତମ ନାତୁଣୀକୁ ୬ ମାସ ଭିତରେ ମାରିବି ବୋଲି ବେଣୁ ବାରମ୍ବାର ଧମକ ଦେଇ ଆସୁଥିବା ନେଇ ପରିବାର ଲୋକେ ଗୁରୁବାର ପୋଲିସକୁ କହିଥିଲେ। ଶୁକ୍ରବାର ପଟ୍ଟାମୁଣ୍ଡାଇ, ରାଜନଗର ଅଗ୍ନିଶମ ବାହିନୀ ଓ ଏସ୍ଡିପିଓ ସୁକାନ୍ତ କୁମାର ପାତ୍ର, ଆଇଆଇସି ନରେଶ କୁମାର ସାହୁ ପୋଲିସ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ହଠାତ କେନାଲରେ କଲଭର୍ଟ ତଳୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଭାସି ଆସିଥିଲା। ଅଗ୍ନିଶମବାହିନୀ କର୍ମଚାରୀ କେନାଲ ମଧ୍ୟକୁ ଯାଇ ମୃତଦେହ ଜବତ କରିଥିଲେ। ଶୁଭଲକ୍ଷ୍ମୀଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।