ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

ସୋନପୁର,୨୧।୧୨(ମୃତ୍ୟୁଞ୍ଜୟ ଶତପଥୀ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମ୍‌ଇଜିପି)ରେ ଋଣ ଆବେଦନକୁ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଶନିବାର ସୁବର୍ଣ୍ଣପୁର ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ(ଜିଏମ୍‌ ଡିଆଇସି) ବିପିନ କୁମାର ଦେହୁରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଦେହୁରୀ ତାଙ୍କ ସୁବର୍ଣ୍ଣପୁର ସହରସ୍ଥିତ ଅଫିସ ପ୍ରକୋଷ୍ଠରେ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।

ଏଥିସହ ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ସହର ପ୍ରେସ କଲୋନିସ୍ଥିତ ଭଡା ଘର ଓ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜୟରାମପୁରସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ କରାଯାଇଛି। ସୁବର୍ଣ୍ଣପୁର, ବରଗଡ଼ ଓ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୩ଟି ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି। ଏହା ସହ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ ୩୨/୨୪) ରୁଜୁ କରାଯାଇଛି।

ଭିଜିଲାନ୍ସ ସୂଚନା ମୁତାବକ, ତରଭା ଅଞ୍ଚଳର ସୁନିଲ ମିଶ୍ର ଭାରତ ସରକାରଙ୍କ ପିଏମ୍‌ଇଜିପିରେ ବ୍ୟାଙ୍କ୍‌ରୁ ଋଣ ନେଇ ରୋଜଗାରକ୍ଷମ ହେବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଋଣ ମଞ୍ଜୁର ପାଇଁ ସୁନିଲଙ୍କ ଦରଖାସ୍ତକୁ ଜିଏମ୍‌ ଡିଆଇସି ଦେହୁରୀ ବ୍ୟାଙ୍କକୁ ପଠାଇବାର ଥିଲା। ତେବେ ଋଣ ଆବେଦନକୁ ବ୍ୟାଙ୍କକୁ ପଠାଇବା ପାଇଁ ଦେହୁରୀ ଲାଞ୍ଚ ମାଗିଥିଲେ।

ଠିକାଦାର ତ୍ରିପାଠୀ ଏହି ସମ୍ପର୍କରେ ଶୁକ୍ରବାର ସୁବର୍ଣ୍ଣପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଅନିଲ ଶନିବାର ସାଧାରଣ ପରିଚାଳକଙ୍କ ପ୍ରକୋଷ୍ଠକୁ ଆସିଥିଲେ। ସେ ସାଧାରଣ ପରିଚାଳକଙ୍କୁ ରାସାୟନିକ ପ୍ରେଲେପ ଦିଆ ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଦେହୁରୀ ଉକ୍ତ ଟଙ୍କାକୁ ଏକ ପେପରରେ ଗୋଡାଇ ରଖିଥିଲେ। ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗର କର୍ମଚାରୀ ଦେହୁରୀଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ୧୦ଟି ୫୦୦ଟଙ୍କିଆ ନୋଟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପଧାନଙ୍କ ନେତୃତ୍ୱରେ ଟିମ୍‌ ସୁବର୍ଣ୍ଣପୁର ଅଫିସ ଓ ଭଡା ଘରେ ଚଢାଉ କରିଛି।