ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଖଇରା, ୯ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରଫାୟାତପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀକକ୍ଷ ଅଭାବ ଯୋଗୁ ୨ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ବସି ପଢିବାକୁ ପଢୁଛି। ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରା ନ ଗଲେ ଅଭିଭାବକମାନେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।
ବିଦ୍ୟାଳୟରେ ଏବେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୪ ପିଲା ଅଧ୍ୟୟନ କରୁଛନ୍ତି। ଏଥିପାଇଁ ୮ଟି ଶ୍ରେଣୀର ଆବଶ୍ୟକତା ରହିଛି। ୟାସ୍‌ ବାତ୍ୟା ପୂର୍ବରୁ ପିଲାମାନଙ୍କୁ ଯେନତେନ ପ୍ରକାରେଣ କାମ ଚଳୁଥିଲା। ହେଲେ ୟାସ୍‌ ବାତ୍ୟାରେ ଘର ଭାଙ୍ଗିଯିବା ଏବଂ ଅନ୍ୟ ଏକ ଘର ଅସୁରକ୍ଷିତ ଥିବା ଯୋଗୁ ବସିବାକୁ ଭୟ କରୁଛନ୍ତି। ଏଣୁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ୩ଟି ଘରେ ୬ଟି ଶ୍ରେଣୀ ଚାଲୁଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ବାରଣ୍ଡାରେ ବସି ପଢିବାକୁ ପଡୁଛି। ସେପଟେ ଅନ୍ୟ ୩ଟି ଗୃହରେ ୬ଟି ଶ୍ରେଣୀର ପିଲାଙ୍କୁ ଏକ ସମୟରେ ପାଠ ପଢୁଥିବା ବେଳେ ଉଭୟ ଶିକ୍ଷକଙ୍କୁ ପଢାଇବା ଏବଂ ଛାତ୍ରୀଛାତ୍ରଙ୍କୁ ଶୁଣିବା ପାଇଁ କସରତ କରିବାକୁ ପଡୁଛି ା ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ସିଂ କହିଛନ୍ତି, ୟାସ୍‌ ବାତ୍ୟାରେ ଘର ଭାଙ୍ଗିବା ପରେ ସେ ଶିକ୍ଷା ବିଭାଗର ଜିଲାସ୍ତରରୁ ବ୍ଲକସ୍ତର ଏବଂ ସ୍ଥାନୀୟ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ସାରିଥିବା କହିଛନ୍ତି। ପରିଚାଳନା କମିଟି ସଭ୍ୟା ମଞ୍ଜୁଲତା ମହାକୁଡ ମଧ୍ୟ ଶ୍ରେଣୀକକ୍ଷ ଅଭାବକୁ ନେଇ ଗୋଟିଏ ଘରେ ୨ଟି ଶ୍ରେଣୀର ପିଲା ପଢିବା ସମୟରେ ଶିକ୍ଷକ ଓ ପିଲାମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ କହିବା ସହ ଉଚ୍ଚ କର୍ତ୍ତପକ୍ଷଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀଙ୍କୁ ଶ୍ରେଣୀଗୃହ ଅଭାବ ବିଷୟରେ ସେ ଅବଗତ ଅଛନ୍ତି।
ବର୍ତ୍ତମାନ ପଞ୍ଚାୟତ ଚାହିଁଲେ ଏହି ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଛନ୍ତି।