ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାନ୍ତ ଚକାପାଦ ଥାନା ଅଧୀନ ଗସମା ଜଙ୍ଗଲରୁ ରବିବାର ଜଣେ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ କଙ୍କାଳ ରବିବାର ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତର। ଖବରପାଇ ଭଞ୍ଜନଗର ଏସଡିପିଓ ସୁଜିତ୍ ନାୟକ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଚକାପାଦ ଥାନା ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛନ୍ତି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମ୍ପୂକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ନାବାଳିକାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ଝିଅକୁ ଜୋର ଜବରଦସ୍ତ ଅପହରଣ କରି ଯୋଜନା ମୁତାବକ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଝୁଲାଇ ଦିଆଯାଇଛି। ତେଣୁ ସେ ଚକାପାଦ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ନାବାଳିକାଙ୍କୁ ଜଣେ ଯୁବକ ମାସେ ତଳେ ଅପହରଣ ନେଇଯାଇଥିଲେ। ନାବାଳିକାଙ୍କ ପିତା ବାହାରେ ରହୁଥିବାରୁ ଏନେଇ ଥାନାରେ କୌଣସି ତତକାଳ ଅଭିଯୋଗ କରିପାରି ନ ଥିଲେ। ଶନିବାର ନାବାଳିକାଙ୍କ ବାପା ଗ୍ରାମରେ ପହଞ୍ଚିବା ପରେ ଭଞ୍ଜନଗର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।
ହେଲେ ରବିବାର ଝିଅର କଙ୍କାଳ ଜଙ୍ଗଲରେ ପଡିଥିବା ଦେଖି ଭଞ୍ଜନଗର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି କଙ୍କାଳ, ନାବାଳିକାଙ୍କ ଜୋତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଜବତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳିକାଙ୍କ ମୃତ୍ୟୁର ସିଠିକ୍ କାରଣ ଜଣାପଡିବ। ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭଞ୍ଜନଗର ଏସ୍ଡିପିଓ ନାୟକ ଗଣମାଧ୍ୟମକୁ କହିଛନ୍ତି।