ରାସ୍ତାରେ ବସି ପାଠ ପଢ଼ିଲେ ପିଲା, ଯାତାୟାତ ଠପ୍‌

ଗୋପବନ୍ଧୁ ନଗର,୩ା୯(ଶାନ୍ତନୁ କୁମାର ମଢୁଆଳ): ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ବିପଦପୂର୍ଣ୍ଣ ଶ୍ରେଣୀ ଗୃହକୁ ନେଇ ମଙ୍ଗଳବାର ଅଭିଭାବକମାନେ ନିଜ ନିଜ ପିଲାମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପାଠପଢ଼ା ବ୍ୟାହତ ହୋଇଛି। ଶତାଧିକ ଅଭିଭାବକ ରାସ୍ତା ରୋକରେ ସାମିଲ ହେବା ଯୋଗୁ ଉଦଳା-ଜୟପୁର ରାସ୍ତାରେ ଯାତାୟାତ ଠପ୍‌ ହୋଇ ପଡ଼ିଥିଲା। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିବା ବେଳେ ତିନୋଟି ଶ୍ରେଣୀ ଗୃହ ରହିଛି। ତେବେ ସେଥି ମଧ୍ୟରୁ ୨୫ ବର୍ଷ ତଳୁ ନିର୍ମିତ ଶ୍ରେଣୀ ଗୃହଟି ଦୁଇ ବର୍ଷ ହେବ ବିପଦପୂର୍ଣ୍ଣ ଅବସ୍ଥାକୁ ଆସିବା ଫଳରେ ଅଭିଭାବକମାନଙ୍କୁ ପିଲାମାନଙ୍କର ସୁରକ୍ଷା ଚିନ୍ତା ଘାରିଛି। ବିଦ୍ୟାଳୟର ଶିଶୁ ବାଟିକା ସହ ଅଧ୍ୟୟନରତ ୧୧୭ ଛାତ୍ରୀଛାତ୍ରଙ୍କୁ ଉକ୍ତ ତିନୋଟି ଗୃହରେ ଶିକ୍ଷାଦାନ ଦିଆଯାଉଛି। ତେବେ ବହୁ ଦିନ ହେବ ଏହି ବିପଦପୂର୍ଣ୍ଣ ଗୃହ ସମ୍ପର୍କରେ ବିଡିିଓ ଓ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏ ଦିଗରେ କେହି ଦୃଷ୍ଟି ନ ଦେବା ଯୋଗୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ଅଭିଭାବକ। ଖବର ପାଇ ତହସିଲଦାର ଓମ ପ୍ରକାଶ ମହାନ୍ତି, ଏବିଇଓ କୁଳମଣି ନାଏକ, ସହକାରୀ ଯନ୍ତ୍ରୀ ଅଭିଷେକ କାପୁଣ୍ଡିଆ ତଥା ପୋଲିସ ଅଧିକାରୀ ପ୍ରମୁଖ ପହଞ୍ଚି ଅଭିଭାବକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଅପରାହ୍ନ ସୁଦ୍ଧା ସମାଧାନର ରାସ୍ତା ବାହାରି ପାରି ନ ଥିଲା। ଅଭିଭାବକମାନେ ନିଜ ଜିଦରେ ଅଟଳ ରହିଥିଲେ। ତେବେ ମଙ୍ଗଳବାର ବିଡିଓ ପୃଥିରାଜ ପରିଡ଼ା ଅନ୍ୟ କାର୍ଯ୍ୟରେ ବାହାରକୁ ଯାଇଥିବାରୁ ଏ ନେଇ ବୁଧବାର ଆଲୋଚନା ହେବ ବୋଲି ଏବିଇଓ ନାଏକ କହିଛନ୍ତି।

Share