ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା ଥାନା କୋଏରମାଣ୍ଡୁ ପଞ୍ଚାୟତ ତେତେରିପାଲା ଗ୍ରାମର ସୁରେଶ କହଁରଙ୍କ ପୁଅ ପୁଅ ଗୋକୁଳ (୧୭) । ଅପରପକ୍ଷେ ପୁଅକୁ ମାନସିକ ନିର୍ଯାତନା ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସୋମବାର ପ୍ରାୟ ଗୋଟାଏ ବେଳେ ତୁଡିପାଜୁ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ପଢୁଥିବା ଗୋକୁଳ ନିଜ ହଷ୍ଟେଲ ରୁମ ଭିତରେ ଫ୍ୟାନରେ ଝୁଲୁଥିବା ଶିକ୍ଷକମାନେ ଦେଖିଥିଲେ । ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିବା ପରେ କବାଟ ଖୋଲି ମୃତଦେହକୁ ଫ୍ୟାନରୁ ଓହ୍ଲାଇ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଫୁଲବାଣୀ ସଦର ଥାନା ସବ ଇନ୍ସପେକ୍ଟର ସମ୍ବିତ ବେହେରା ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ମୃତକଙ୍କ ବାପାଙ୍କ କହିବାନୁସାରେ, ଦିନ ୧୨ଟାବେଳେ ଗୋକୁଳ ଘରକୁ ଫୋନ କରି ଶିକ୍ଷକମାନେ ଗାଳିଗୁଲଜ କରୁଥିବା କହିଥିଲେ। ମୋତେ ଆସି ଘରକୁ ନେଇଯାଅ, ନଚେତ୍ ସେମାନେ ମୋତେ ମାରିଦେବେ ବୋଲି କହିଥିଲେ। ମୁଁ ଏବଂ ମୋ ସ୍ତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ବାହାରପଟୁ ତାଲା ବନ୍ଦ ଥିବା ଏକ କୋଠରୀରେ ପୁଅ ଥିବା ଜାଣିବାକୁ ପାଇଥିଲି । ବିଦ୍ୟାଳୟ କର୍ମଚାରୀଙ୍କ ଉପସ୍ଥିତିରେ କୋଠରୀ ଖୋଲିବା ପରେ ଭିତରେ ପୁଅ ବେକରେ ରଶି ଦେଇ ଝୁଲୁଥିବା ଦେଖିବାକୁ ପାଇଥିଲି । ବିଦ୍ୟାଳୟ କର୍ତ୍ତୃପକ୍ଷ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଝୁଲାଇ ଦେଇଥିବା ମୃତ ଛାତ୍ରଙ୍କ ବାପା ସୁରେଶ ଏତଲାରେ ଦର୍ଶାଇଛନ୍ତି। ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଏସଆଇ ବେହେରା ସୂଚନା ଦେଇଛନ୍ତି।

