ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର ପରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କୁ ହତ୍ୟା କରି କୂଅରେ ପେଲି ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ୨ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛଇନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି ନିଲମ୍ବିତ ହୋଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଇ ମଧ୍ୟ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଗଣିଆ ବିଇଓ ନିଲମ୍ବନ କରିଛନ୍ତି।
ମୃତ ଛାତ୍ରଙ୍କ ନାମ ଭୋଳାନାଥ ମଲ୍ଲିକ (୧୦)। ଛାତ୍ର ଭୋଳାନାଥ ମଙ୍ଗଳବାର ସ୍କୁଲରୁ ମଧ୍ୟାହ୍ନ ଭୋଜନ ପରେ ବାହାରକୁ ଶୌଚ ପାଇଁ ଯାଇ ସ୍କୁଲକୁ ଫେରି ନଥିଲେ। ଘର ଲୋକ ଖୋଜାଖୋଜି ପରେ ପାଇ ନ ଥିଲେ। ବୁଧବାର ସକାଳୁ କୂଅରୁ ମୃତଦେହ ଉଦ୍ଧାର ପରେ ଘଟଣା ସ୍ଥଳରେ ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି।

