ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଡିଗ୍ରୀ କଲେଜରେ ଯୁକ୍ତ ୩ କଳା ଦ୍ବିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀ ୫ ଦିନ ହେଲା ନିଖୋଜ ଥିବା ଜଣାପଡିଛି। ଛାତ୍ରୀଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୮୫/୨୫ ବିଏନଏସ ର ଦଫା -୧୩୭(୨)(ଅପହରଣ)ମକଦ୍ଦମା ରୁଜୁ କରି ଏଏସଆଇ ମନୋଜ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଛାତ୍ରୀ ଜଣକ ଘରୁ ସାଇକେଲ ନେଇ କଲେଜକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ। ସା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଗାଁ ନିକଟ ଅନ୍ୟ ଏକ ଗାଁ ଛକରୁ ତାଙ୍କ ସାଇକେଲ ମିଳିଥିଲା। ଘଟଣାର ପରଦିନ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଏତଲା ଦେଇଥିଲେ। ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀଙ୍କ ପତ୍ତା ମିଳିପାରିନାହିଁ।


