ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ କରିଥିଲେ। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ବାପିନି ଭୋଳଙ୍କ ସାନଝିଅ ରେଶ୍ମା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଗତ ୨୦୨୫ରେ ଯୁକ୍ତ ୩ ପାସ କରିବା ପରେ ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ନିମନ୍ତେ ଘରେ ରହି ପ୍ରସ୍ତୁତ ହେଉଥିଲେ। ଶୁକ୍ରବାର ବି.ଏଡ ଏଣ୍ଟ୍ରାନ୍ସ ଦେବାକୁ ଫର୍ମ ପୂରଣ ପାଇଁ ଗାଁରୁ ଦିଗପହଣ୍ଡିସ୍ଥିତ ଏକ ଜନସେବାକେନ୍ଦ୍ରକୁ ଆସିଥିଲେ। କାମସାରି ଗାଁକୁ ଫେରିବା ପାଇଁ ଦିଗପହଣ୍ଡି – ଆସିକା ରାସ୍ତାର ବସଷ୍ଟପ୍ରେ ମୁଖ୍ୟମନ୍ତ୍ରୀ ବସ୍କୁ ଅପେକ୍ଷା କରିଥିବା ବେଳେ ଅପରାହ୍ନରେ ବର୍ଷା ପବନ ହେବାରୁ ସେ ଶ୍ରୀମୁକ୍ତେଶ୍ୱର ଶୈବପୀଠ ପରିସରକୁ ଚାଲି ଚାଲି ଯାଉଥିବାବେଳେ ବଜ୍ରପାତରେ ଗୁରୁତର ହୋଇ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଏତଲା ହେବା ପରେ ଥାନା ଆଇଆଇସି କିଶୋର କୁମାର ସାମଲ କେସ୍ ନଂ.୧୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ଶନିବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ଏନେଇ ମୁଁ ଖବର ପାଇଛି। ତଦନ୍ତ ପରେ ସତ୍ୟତା ଥିଲେ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଅନୁକମ୍ପା ମୂଳକ ସରକାରୀ ସହାୟତା ପାଇଁ ସେ ଗଞ୍ଜାମ ଜିଲାପାଳଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି।