ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର ହୋଇଯାଇଥିଲେ । ଜଣେ ଛାତ୍ରଙ୍କ ଅଭିଭାବକ ସେମାନଙ୍କୁ ଉଦ୍ଧାର କରି ହଷ୍ଟେଲକୁ ଫେରାଇ ଆଣିବା ପରେ ଏବେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସେଠାରେ କାର୍ଯ୍ୟରତ ଜଣେ ଶିକ୍ଷକ ଛାତ୍ରମାନଙ୍କୁ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହେଉଛି । ଶନିବାର ସ୍କୁଲ ସମୟରେ ପୁଣି ମାଡ଼ ମାରିବା ସହ ଧମକ ଦେବାରୁ ଛାତ୍ରମାନେ ଭୟଭିତ ହୋଇ ଫେରାର ହୋଇଯାଇଥିଲେ।
ଶିକ୍ଷକଙ୍କ ଅମାନୁଷିକ ମାଡ଼ ଯୋଗୁଁ ଛାତ୍ରମାନେ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଛାତ୍ରଚାଲିପାରୁ ନଥିବା ଛାତ୍ରଙ୍କ ମାମୁଁ ବାବୁଲାଲ ଧରୁଆ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରେ ଲୋକେ ସମ୍ପୃକ୍ତ ଛାତ୍ରଙ୍କୁ ନେଇ ଚିକିତ୍ସା କରାଇଛନ୍ତି। ଅଭିଯୋଗ ଅନୁସାରେ, ଶୁକ୍ରବାର ବିଦ୍ୟାଳୟ ଛୁଟି ହେବାପରେ ଛାତ୍ରମାନେ ଏକାଠି ମିଶି ଖେଳୁଥିଲେ। ସେହି ସମୟରେ ଆଶ୍ରମର ଜୈନିକ ଶିକ୍ଷକ ୭ ଜଣ ଛାତ୍ରଙ୍କୁ ଡାକି କାହିଁକି ବାହାରେ ଖେଳୁଛ ବୋଲି ଗାଳିଗୁଲଜ କରିଥିଲେ । ପରେ ଏକ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ । ଏଥିସହ
ଶନିବାର କ୍ଲାସରୁମ୍ରେ ପୁଣି ସମସ୍ତଙ୍କୁ ମାଡ଼ ଦିଆଯିବ ବୋଲି ତାଗିଦ୍ କରିଥିଲେ। ଶିକ୍ଷକଙ୍କ ମାଡ଼ ଭୟରେ ଉକ୍ତ ୭ ଜଣ ଛାତ୍ର ରାତିରେ ଆଶ୍ରମ ପାଚେରୀ ଡେଇଁ ବାହାରକୁ ପଳାଇଥିଲେ । ମାଡ଼ ଭୟରେ ସେମାନେ ରାତିତମାମ ବରପଦର ଗାଁର ଏକ ଦୋକାନ ବାରଣ୍ଡାରେ ଶୋଇଥିବାବେଲେ ସକାଳୁ ଏକ ଘରୋଇ ବସ୍ରେ ବଲାଙ୍ଗିର ବସଷ୍ଟାଣ୍ଡରେ ପହଞ୍ଚିଥିଲେ।
ସେଠାରୁ ରେଳ ଷ୍ଟେସନକୁ ଯାଉଥିବାବେଳେ ବାଟରେ ଜଣେ ଛାତ୍ରଙ୍କ ଅଭିଭାବକ ସେମାନଙ୍କୁ ଦେଖି ସବୁ କଥା ପଚାରି ବୁଝିଥିଲେ । ପରେ ଏକ ଅଟୋ ଯୋଗେ ଆଶ୍ରମକୁ ଫେରାଇ ଆଣିଥିଲେ । ଆଶ୍ରମ ଫେରିବା ପରେ ଛାତ୍ରମାନେ ମାନସିକସ୍ତରରେ ଆହୁରି ଭୟଭିତ ହୋଇ ବାହାରକୁ ବାହାରିନଥିଲେ । କିଛି ସମୟ
ପରେ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଗୋଡ଼ରେ ଶକ୍ତ ଆଘାତ ଯୋଗୁ ଛାତ୍ର ଜଣକ ଚାଲିପାରୁନଥିବା ତାଙ୍କ ମା’ ଖବର ପାଇଥିଲେ । ସେ ରବିବାର ଆଶ୍ରମରେ ପହଞ୍ଚି ଗୁରୁତର ଛାତ୍ରଙ୍କୁ ନେଇ ନିଜଘରକୁ ଫେରିଯାଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଗୁରୁତର ଛାତ୍ର ଜଣକ ନି ଜଘରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଏହି ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଆଶ୍ରମରେ ଅନେକ ଅବ୍ୟବସ୍ଥା ଥିବାବେଳେ ସେ ଗୁଡ଼ିକର ସମାଧାନ କରାଯିବା ବଦଳରେ ଶିକ୍ଷକମାନେ ଛାତ୍ରମାନଙ୍କ ଉପରେ ଅତ୍ୟାଚାର ଚଳାଇଥିବା ସମ୍ପୃକ୍ତ ଛାତ୍ରଙ୍କ ମାଁ ଅଭିଯୋଗ କରିଛନ୍ତି । ଯେଉଁ ଶିକ୍ଷକ ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ମାମୁ ବାବୁଲାଲ ଦାବି କରିଛନ୍ତି ।ଏଭଳି ଅଭିଯୋଗ ସମ୍ପର୍କରେ ଆଶ୍ରମ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଜ୍ଞାନ ମଞ୍ଜରୀ ଶିକାଙ୍କୁ ପଚାରିବାରୁ ଘଟଣାକୁ ସେ ସ୍ବୀକାର କରିଛନ୍ତି । ଛାତ୍ରମାନଙ୍କୁ ମାଡ଼ମାରିବା ଉଚିତ ନଥିଲା, ସଂପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।