ବାକ୍ସ ଭିତରୁ ତୃତୀୟ ଶ୍ରେଣୀ ଛାତ୍ର ଉଦ୍ଧାର ଘଟଣା: ଦାୟିତ୍ୱରୁ ହଟିଲେ ଶିକ୍ଷୟିତ୍ରୀ

ବଣାଇ,୧୪ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡ଼ାର ଏକ ବିଦ୍ୟାଳୟ ଛାତ୍ରାବାସରେ ପହଞ୍ଚି ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଉଦ୍ଧାର ଘଟଣାରେ ଆକ୍ସନ ନେଇଛି ପ୍ରଶାସନ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିବା ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି।

ଛାତ୍ରାବାସରେ ଏପରି ଘଟଣା ଘଟିଥିବା ଶନିବାର ଜଣାପଡ଼ିଥିଲା। ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ଅନ୍ୟଜଣେ ସହପାଠୀ ସହ ଝଗଡ଼ା ହେବା କାରଣରୁ ସାଙ୍ଗ ତାଙ୍କୁ ଏକ ବାକ୍ସ ଭିତରେ ପୂରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଆହତ ଅବସ୍ଥାରେ ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର ଛାତ୍ରଙ୍କ ନାଁ ସ୍ବସ୍ତିକ କିଷାନ। ତାଙ୍କ ଘର ଜର୍ଡା ନିକଟସ୍ଥ ବ୍ରାହ୍ମଣଡିହି ଗ୍ରାମରେ।

ଶୁକ୍ରବାର ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ପରେ ବିଦ୍ୟାଳୟରେ ରୋଲ କଲ୍‌ ସମୟରେ ଜଣେ ଛାତ୍ର ଅନୁପସ୍ଥିତ ଥିବା ଦେଖି ଓ୍ବାର୍ଡେନ ପ୍ରଧାନଶିକ୍ଷକଙ୍କୁ ଜଣାଇ ସମସ୍ତେ ଖୋଜାଖୋଜି କରିଥିଲେ। କୌଣସି ସ୍ଥାନରେ ସ୍ବସ୍ତିକଙ୍କୁ ନ ପାଇ ଶେଷରେ ସ୍ବସ୍ତିକଙ୍କ ଘରକୁ ଫୋନ୍‌ କରିଥିଲେ l ପରିବାର ଲୋକେ ମିଶି ଖୋଜିବା ସମୟରେ ଏକ ବାକ୍ସ ଭିତରୁ ଶବ୍ଦ ଶୁଣି ଖୋଲିବା ପରେ ସେଇଠି ଅଚେତ ଅବସ୍ଥାରେ କୋମଳମତି ଛାତ୍ର ଥିବା ଦେଖି ଉଦ୍ଧାର କରିଥିଲେ। ଏଥିରେ ଝଗଡ଼ା ଲାଗିଥିବା ସହପାଠୀ ବାକ୍ସ ଭିତରେ ପୂରାଇ ଥିବା ନେଇ ପରିବାର ଲୋକେ କହୁଛନ୍ତି କିନ୍ତୁ ସାଙ୍ଗ ଜଣଙ୍କ ଏହା ମିଛ କଥା କହି ନିଜେ ସ୍ବସ୍ତିକ ବାକ୍ସ ଭିତରେ ଲୁଚିଥିବା କହୁଛି l ପ୍ରଧାନଶିକ୍ଷକଙ୍କ ହସ୍ତକ୍ଷେପ ପରେ ସ୍ବସ୍ତିକ ଏବେ ନିଜ ଘରକୁ ଯାଇଥିବାବେଳେ ସେ ସୁସ୍ଥ ଅଛି ବୋଲି ସୂଚନା ମିଳିଛି l ଏହି ଘଟଣା ପରେ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି କରିଛି।

Share