ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୂଅରେ ବ୍ଲିଚିଂ ପକାଇ ବିଶୋଧିତ କରାଯିବା ସହ ବିଦ୍ୟାଳୟରେ ଅନୁପସ୍ଥିତ ଛାତ୍ରୀଛାତ୍ର ରିପୋର୍ଟ ସଂଗ୍ରହ କଲା ମେଡିକାଲ ଟିମ୍‌। ଏଭଳି ଖବର ପାଇ ବିଦ୍ୟାଳୟସ୍ଥିତି ଅନୁଧ୍ୟାନ କଲେ ବାଙ୍କୀ ଉପଜିଲାପାଳ ପ୍ରଣବ କୁମାର ବେହେରା, ବିଡିଓ ଅଗ୍ନିଜା ସିବଦତ୍ତ, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ, ଡାକ୍ତର କାଶୀନାଥ ପଣ୍ଡା, ମୋନାଲିସା ରାଉତରାୟ, ସୁପରଭାଇଜର ମାନଭଞ୍ଜନ ଦଳେଇ, ସଞ୍ଜୟ ପୃଷ୍ଟି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ପ୍ରକାଶ ଥାଉକି, କଦଳୀବାଡ଼ି ସେବାଶ୍ରମ ସରକାରୀ ବିଦ୍ୟାଳୟରେ ୭୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଛାତ୍ରୀଛାତ୍ର। ଯାହାକୁ ନେଇ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ବିଦ୍ୟାଳୟ ପରିସରରେ ଥିବା ପାନୀୟ କୂଅ ଏବଂ ନଳକୂପ ପାଖରେ ନିର୍ମାଣ କରାଯାଇଥିବା ଶୌଚାଳୟ ଏବଂ ନିର୍ମାଣାଧୀନ ପାଣି ଟାଙ୍କିକୁ ବିଦ୍ୟାଳୟ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନ କରାଯାଉ ନ ଥିବା ହେତୁ ଏଭଳି ଘଟଣାର ଶିକାର ହେଇଛନ୍ତି ବିଦ୍ୟାଳୟର ଶିଶୁମାନେ ବୋଲି ଅବିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କଦଳୀବାଡ଼ି ପଞ୍ଚାୟତ ନିକଟ ଓସ୍ତିଆ ପଞ୍ଚାୟତରେ ଗତ ସୋମବାର ବିଡିଓଙ୍କ ଜନଶୁଣାଣି ସମୟ ବେଳେ ବାଙ୍କୀ ଏବିଡିଓ ମିତା ବେହେରା କଦଳୀବାଡ଼ି ଗ୍ରାମ ଲୋକେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିଥିଲେ। ଖବର ପାଇ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ ମେଡିକାଲ ଟିମ୍‌ ପଠାଇ ତଦନ୍ତ ଜାରି ରଖିଛନ୍ତି। ବିଦ୍ୟାଳୟରେ ଥିବା କୂଅ, ନଳକୂପ ଏବଂ ଗ୍ରାମର କେତେକ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି।

ଅନ୍ୟପଟେ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଫଳରେ ବିଦ୍ୟାଳୟରେ ୭୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭୟରେ ବିଦ୍ୟାଳୟକୁ ଆସୁ ନ ଥିବା ବେଳେ ସୋମବାର ୨୭ ଜଣ, ମଙ୍ଗଳବାର ୨୮ ଜଣ ଏବଂ ବୁଧବାର ୨୯ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିଥିଲେ। ୬ ଜଣ ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବାବେଳେ ୬୧ ଜଣ ଛାତ୍ରୀଛାତ୍ରଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ପଠାଯାଇଛି। ବିଦ୍ୟାଳୟରେ ଥିବା ପାନୀୟ କୂଅ ଓ ନଳକୂପ ବ୍ଲିଚିଂ ପକାଇ ବିଶୋଧିତ କରାଯାଇଛି। ଜଣ୍ଡିସ୍‌ ରୋଗ ନ ହେବା ପାଇଁ ମେଡିକାଲ ଟିମ୍‌ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Share