ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ୧୦ମ ଶ୍ରେଣୀ ଛାତ୍ରୀ(୧୫)ଙ୍କୁ ପାଖ ନିକଟ ଗ୍ରାମର ବନମାଳୀ ମହାରଣା ଗତ ନଭେମ୍ବର ୧୦ ତାରିଖରେ ଅପହରଣ କରି ନେଇଥିଲେ। ଛାତ୍ରୀଙ୍କ ବାପା ଏ ନେଇ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୫୦୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଶୁଭଲକ୍ଷ୍ମୀ କଅଁର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ କରିଥିଲେ ମଧ୍ୟ ଉଭୟଙ୍କ ପତ୍ତା ମିଳି ନ ଥିଲା। ଅଭିଯୁକ୍ତ ବାରମ୍ବାର ଲୋକେଶନ ବଦଳାଇବା ସହ ମୋବାଇଲ ଫୋନ ସୁଇଚ ଅଫ କରୁଥିବାରୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ପାଖରେ ଟଙ୍କା ସରିଯିବା ପରେ ମଙ୍ଗଳବାର ଅଭିଯୁକ୍ତ ଛାତ୍ରୀଙ୍କୁ ନେଇ ଗାଁକୁ ଆସିଥିଲେ। ଅଭିଯୁକ୍ତ ଛାତ୍ରୀଙ୍କୁ ନେଇ ଗାଁରେ ପହଞ୍ଚିଥିବା ଜଣାପଡିବା ପରେ ତଦନ୍ତକାରୀ ଅଧିକାରୀ ସଦଳବଳେ ଚଢାଉ କରି ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଅଭିଯୁକ୍ତ ଏବଂ ପୀଡ଼ିତା ଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା। ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁରସ୍ଥିତ ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।