କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍କୁଲରେ କବାଡ଼ି ଖେଳୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଅମିତ୍ ମୁଣ୍ଡା (୧୪) ବୋଲି ଜଣାପଡ଼ିଛି।
ଏଭଳି ଘଟଣା କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଘଟିଛି। ପ୍ରକାଶ ଯେ, ଗତ ମଙ୍ଗଳବାର ବିଦ୍ୟାଳୟରେ ଅମିତ୍ ଅନ୍ୟମାନଙ୍କ ସହିତ କବାଡ଼ି ଖେଳୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା। ତେବେ ଘଟଣାକୁ ସାମାନ୍ୟ ନେଇ ସ୍କୁଲର କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ବୁଧବାର ସକାଳୁ ତା’ଙ୍କ ଅବସ୍ଥା ଗୁରୁତର ହେବାରୁ ନିକଟସ୍ଥ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଠାରୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ତାଙ୍କ ମା’ଙ୍କୁ ବିଳମ୍ବରେ ସୂଚନା ଦିଆଯାଇଥିଲା। ମୃତକ ବାରିଆ ଥାନା କେନ୍ଦୁଆ ଗ୍ରାମର ସ୍ବର୍ଗତ ଶୁକଦେବ ମୁଣ୍ଡାଙ୍କ ପୁଅ ଅମିତ। ସେ ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଖେଳରେ ଆହତ ହେଇଥିଲେ ସୁଦ୍ଧା ମଙ୍ଗଳବାର ପରିବାର ଲୋକଙ୍କୁ ନ ଜଣାଇ ତାଙ୍କ ଅବସ୍ଥା ଗୁରୁତର ହେବା ପରେ କେନ୍ଦୁଝର ଡାକ୍ତରଖାନାରେ ଥିବା ବେଳେ ତାଙ୍କ ମା’ଙ୍କୁ ଜଣାଇଥିଲେ। ଖବର ପାଇ ତାଙ୍କ ମାଆ ଡାକ୍ତରଖାନାରେ ପହଞ୍ଚିଥିଲେ ମାତ୍ର ସେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହେଇଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅମିତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଅମିତଙ୍କ ମୃତଦେହ ଘରକୁ ଅଣାଯିବା ପରେ ଘଟଣାର ତଦନ୍ତ ଦାବି ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଘରଲୋକ ମୃତଦେହ ଗ୍ରହଣ କରି ନ ଥିଲେ। ଫଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଚମ୍ପୁଆ ଉପଜିଲାପାଳ, ଝୁମ୍ପୁରା ଓ ଚମ୍ପୁଆ ତହସିଲଦାର, ଚମ୍ପୁଆ ଏସ୍ଡିପିଓ ରାତିରେ ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରି ମୃତଦେହ ହସ୍ତାନ୍ତର କରିଥିଲେ।
ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଅମିତଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ କରିଛନ୍ତି ଘରଲୋକ। ଏନେଇ ବାରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ଚମ୍ପୁଆ ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ କହିଛନ୍ତି।