ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀତା ମାଝୀ। ସୋମବାର ରାତିରେ ହଠାତ ଗୀତାର ଶରୀର ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଛାତ୍ରୀ ଅସୁସ୍ଥ ଥିବା ବେଳେ ଗୀତାଙ୍କୁ ମେଡିକାଲ ଆଣିଥିବା ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କହୁଥିବା ବେଳେ ମେଡିକାଲରେ ଭର୍ତ୍ତି କରିବା ପୂର୍ବରୁ ଗୀତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ମୃତ ଗୀତାର ଘର ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧବାଲିଯୋଡି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟିଲା ସନ୍ଦେହ ଉପୁଜିଥିବା ବେଳେ ପରିବାରବର୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଗୀତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣଙ୍କ ଘର ବିଦ୍ୟାଳୟ ହଷ୍ଟେଲଠାରୁ ମାତ୍ର ଗୋଟିଏ କିଲୋମିଟର ହୋଇଥିବାବେଳେ ଝିଅର ଅସୁସ୍ଥତା ସମ୍ପର୍କରେ ପରିବାରବର୍ଗଙ୍କୁ ସ୍କୁଲ କର୍ତ୍ତୃପକ୍ଷ କେଣସି ସୂଚନାଦେଇ ନ ଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି। ଝିଅ ମୃତ୍ୟୁବରଣ କରିବା ପରେ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିଲା ବୋଲି ପରିବାର ପ୍ରକାଶ କରିଛନ୍ତି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ପ୍ରଧାନ ଶିକ୍ଷକ କୋଲା ବାମନମୂର୍ତ୍ତି ଏବଂ ଜିଲା ମଙ୍ଗଳ ଅଧିକାରୀ ଅସୀମା ରାଁଲି ଯୋଗାଯୋଗ କରିଥିଲେ ହେଁ କେହି ଫୋନ ଉଠାଇ ନ ଥିଲେ।
ଏନେଇ ଜିଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ। ଏଥି ସହିତ ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

